39.1 C
Bhubaneswar
Wednesday, April 24, 2024
Homeଓଡିଶାବାତ୍ୟା ‘ଗୁଲାବ୍‌’ ପାଇଁ ସମୀକ୍ଷା : ଶୂନ୍ୟ ମୃତ୍ୟୁ ଉପରେ ଫୋକସ୍

ବାତ୍ୟା ‘ଗୁଲାବ୍‌’ ପାଇଁ ସମୀକ୍ଷା : ଶୂନ୍ୟ ମୃତ୍ୟୁ ଉପରେ ଫୋକସ୍

ଭୁବନେଶ୍ୱର: ବାତ୍ୟା ‘ଗୁଲାବ୍‌’ ପାଇଁ ବାୟୁସେନା ଓ ନୌବାହିନୀର ଯବାନମାନେ ତୟାର ହୋଇ ରହିଛନ୍ତି । ଯୁଦ୍ଧକାଳନୀନ ଭିତ୍ତିରେ ଏମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସେହିପରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଏନ୍‌ଡିଆରଏଫ୍ ୧୮ ଟିମ୍ ନିୟୋଜିତ ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଟିମ୍ ନିୟୋଜିତ କରାଯିବ । ତେବେ ‘ଶୂନ୍ୟ’ ମୃତ୍ୟୁ ଉପରେ ଫୋକସ୍ କରାଯାଇଛି । ଏହି ସୂଚନା ଦେଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା ।  ଶନିବାର ନୂଆଦିଲ୍ଲୀରେ ‘ଜାତୀୟ ସଙ୍କଟ ପରିଚାଳନା କମିଟି’ ବା ଏନ୍‌ସିଏମ୍‌ସି ବୈଠକ ବସିଥିଲା । କ୍ୟାବିନେଟ ସଚିବ ରାଜୀବ ଗୌବା ଏଥିରେ ଅଧ୍ୟକ୍ଷତା କରିଥିଲେ ।

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା‘ଗୁଲାବ୍‌’ ପରବର୍ତ୍ତୀ ଭୟଙ୍କର ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ,ଏଜେନ୍ସି ଓ ରାଜ୍ୟ ସରକାର ମିଳିତ ହୋଇ କାର୍ଯ୍ୟ କରିବା ଉପରେ ସେ ଫୋକସ୍ କରିଥିଲେ । ଶ୍ରୀ ଗୌବା କହିଥିଲେ ଯେ ବାତ୍ୟା ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସଂପୃକ୍ତ ଏଜେନ୍ସିଗୁଡିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ । ମୃତ୍ୟୁ ସଂଖ୍ୟାକୁ ‘ଶୂନ’ କରିବା ଏବଂ କ୍ଷୟକ୍ଷତି ପରିମାଣକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେବା ଦରକାର । ଉଦ୍ଧାର କାର୍ଯ୍ୟରେ ଆନ୍ଧ୍ର ଓ ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି । ଜାହାଜ ଓ ବିମାନ ସହିତ ସେନା ଓ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।

ବାତ୍ୟା ବିପନ୍ନଙ୍କୁ ଆବଶ୍ୟକ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ମହଜୁଦ ରଖିବା ଆବଶ୍ୟକ । ବିଶେଷକରି କୋଭିଡ୍ ମାର୍ଗଦର୍ଶିକା ପାଳନ ପାଇଁ ସେ ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଥିଲେ ।  ବୈଠକର ପ୍ରାରମ୍ଭରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ୨୬ ସନ୍ଧ୍ୟା ସୁଦ୍ଧା ବାତ୍ୟା ବେଳେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ସ୍ଥଳ ବିଶେଷରେ ଘଣ୍ଟାପ୍ରତି ପବନର ବେଗ ୯୫ କିଲୋମିଟର ଟପିପାରେ । ପବନ ସହ ଅତି ପ୍ରବଳ ବର୍ଷା ହେବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି ।

ତେଣୁ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ସହିତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଓ ବିଶାଖାପାଟନମ୍‌ରେ ବାତ୍ୟାର ସିଧାସଳଖ ପ୍ରଭାବ ରହିବ । ଏଥିପାଇଁ ସତର୍କତା ଜରୁରୀ ବୋଲି ସେ କହିଥିଲେ ।  ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେଇ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ ବି ନିଜ ରାଜ୍ୟର କଥା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ଓ ଶକ୍ତି ମନ୍ତ୍ରଣାଳୟର ସଚିବଙ୍କ ସମେତ ବୈଠକରେ ଏନ୍‌ଡିଆର୍‌ଏଫ୍ ମହାନିର୍ଦ୍ଦେଶକ ଏସ ଏନ ପ୍ରଧାନ, ସିଆଇଏସସି ଆଇଡିଏସ୍‌, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଟେଲିକମ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking