ଭୁବନେଶ୍ୱର: ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଛତିଶଗଡ଼ ଉପର ଦେଇ ପଶ୍ଚିମ ବିହାରରୁ ଉତ୍ତର ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ଲଘୁଚାପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଦକ୍ଷିଣ, ଆଭ୍ୟନ୍ତର, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ଏବଂ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଯଥା- ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଓ ଝାରସୁଗୁଡ଼ାର କିଛି ସ୍ଥାନରେ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରାଯାଇଛି । ଶନିବାର ରାଜ୍ୟର ୧୧ ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ।
ବୌଦ୍ଧ ପାଲଟିଥିଲା ସର୍ବାଧିକ ଉତ୍ତପ୍ତ ସହର । ଏଠାରେ ପାରଦ ୪୨.୯ଂ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୨.୬ ଂ, ସମ୍ବଲପୁରରେ ୪୧.୮ଂ, ସୁନ୍ଦରଗଡ଼ରେ ୪୦ଂ, ହୀରାକୁଦରେ ୪୧.୧ଂ, ସୋନପୁରରେ ୪୧.୩ଂ, ଭଦ୍ରକରେ ୪୦.୫ଂ, ଯାଜପୁରରେ ୪୦.୨ଂ, ବରଗଡ଼ରେ ୪୦ଂ, ନୂଆପଡ଼ା ୪୧.୪ଂ ଓ ରାଉରକେଲାରେ ୪୦.୬ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୯.୭ଂ ଏବଂ କଟକରେ ୩୭.୮ଂ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷେ ରାଜ୍ୟର କିଛି ସ୍ଥାନରେ ମଧ୍ୟ କାଳବୈଶାଖୀର ପ୍ରଭାବରେ ବର୍ଷା ହୋଇଥିଲା । କଟକରେ କାଳବୈଶାଖୀ ପ୍ରଭାବରେ ବହୁ ଗଛପତ୍ର ଉପୁଡ଼ି ପଡ଼ିଥିବା ବେଳେ ରାଜଧାନୀରେ ମଧ୍ୟ ୩୦ କିମି ବେଗରେ ପବନ ବୋହିଥିଲା । ତେବେ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ କେନ୍ଦୁଝରରେ ୧୨ମିମି, ଝାରସୁଗୁଡାରେ ମିମି ବର୍ଷା ହୋଇଥିବା ଜଣାପଡିଛି ।