30.1 C
Bhubaneswar
Monday, May 20, 2024
Homeଓଡିଶାଘାରିଲାଣି ଚାଷ ସମସ୍ୟା : ଲଘୁଚାପ ଦୁର୍ବଳ, ନାହିଁ ବର୍ଷା ସମ୍ଭାବନା

ଘାରିଲାଣି ଚାଷ ସମସ୍ୟା : ଲଘୁଚାପ ଦୁର୍ବଳ, ନାହିଁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇପଡ଼ିଛି । ସୃଷ୍ଟି ଲଘୁଚାପ ସକାଶେ ରାଜ୍ୟରେ ପାଗ ବଦଳିଛି, କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । ହେଲେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇନାହିଁ । ଯାହା ଏବେ ରାଜ୍ୟର ଚାଷ କାର୍ଯ୍ୟରେ ମୁଖ୍ୟ ବାଧକ ସାଜିଥିବା ନଜରକୁ ଆସିଛି । ଏହାରି  ମଧ୍ୟରେ ରାଜ୍ୟକୁ ୪ ଥର ଲଘୁଚାପ ଆସିଛି । ହେଲେ ଜୁଲାଇ ୨୧ରେ ସୃଷ୍ଟି ଲଘୁଚାପ ବ୍ୟତୀତ ଅନ୍ୟ କୌଣସି ଲଘୁଚାପ ରାଜ୍ୟ ପାଇଁ ଭଲ ବର୍ଷା ଆଣିନାହିଁ । ଗୁରୁବାର ପଶ୍ଚିମ ଓଡ଼ିଶାର କିଛି ହାତଗଣତି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।

ଗୁରୁବାରଠାରୁ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ନଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି । ତେବେ ରାଜ୍ୟରେ ଅଗଷ୍ଟରେ ବର୍ଷା ଅଭାବ ସ୍ଥିତି ଅଧିକ ଗୁରୁତର ରହିଛି । ଏବେ ସୁଦ୍ଧା ଅଗଷ୍ଟରେ ରାଜ୍ୟରେ ହାରାହାରି ୬୨ ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକଠାରୁ ୫୨% ନିଅଣ୍ଟିଆ । ଜୁନ୍ ପହିଲାରୁ ଅଗଷ୍ଟ ୧୬ ସୁଦ୍ଧା ହୋଇଥିବା ବର୍ଷା ରେକର୍ଡରୁ ଏହା ଜଣାପଡ଼ିଛି । ଏହାଛଡ଼ା ରାଜ୍ୟର ୨୩ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଯେଉଁ ୭ ଜିଲ୍ଲାରେ ବର୍ଷା ସ୍ୱାଭାବିକ ବୋଲି କୁହାଯାଉଛି, ସେଠାରେ ବି ସ୍ଥିତି ସେତେ ଭଲ ନାହିଁ । ଲଘୁଚାପ ସତ୍ତ୍ୱେ ରାଜ୍ୟକୁ ବର୍ଷା ହେଉନଥିବା କାରଣରୁ ସ୍ଥିତିରେ କିଛି ବିଶେଷ ପରିବର୍ତ୍ତନ ଆସିନାହିଁ । ଫଳରେ ଆଗକୁ ଚାଷ ସମସ୍ୟା ଗୁରୁତର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ଆସନ୍ତା ୨୬ ତାରିଖ ବେଳକୁ ଓଡ଼ିଶା ଅବସ୍ଥା ସାଂଘାତିକ ଥିବ ।

ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳକୁ ଛାଡ଼ିଦେଲେ ସାରା ଓଡ଼ିଶାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୩ ଦିନ ଓଡ଼ିଶାର ସମସ୍ତ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏବେ ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, ବଲାଙ୍ଗିରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି । ସେହିପରି କେନ୍ଦୁଝର, ଝାରସୁଗୁଡାରେ ୪୧ ପ୍ରତିଶତ ଏବଂ ଅନୁଗୁଳରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking