ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ବଙ୍ଗୋପସାଗରରେ ଏହା ମଧ୍ୟରେ ୨ଟି ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହାବ୍ୟତୀତ ଆଉ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି । ଯାହାକି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୁର୍ଣ୍ଣି ବଳୟ ସହ ସକ୍ରିୟ ହେବାରେ ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରୁ ୩.୧ କିମି ଏବଂ ୭.୬ କିମି ଉପରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ଦୁଇ ଦିନ ଭିତରେ ବଡ଼ ଧରଣର ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି । ଯାହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟର ଏକାଧିକ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ବୁଧବାର ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଥିବାବେଳେ କଟକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଶ୍ରୀ ଦାଶ କହିଛନ୍ତି ।
ସେପଟେ ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପ ରେଖା ସକାଶେ ଓଡ଼ିଶାରେ ମୌସୁମୀ ଜନିତ ବର୍ଷାର ପରିମାଣ ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାୟ ୨୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଥିବାବେଳେ ନିଅଣ୍ଟିଆ ବର୍ଷାର ପରିମାଣ ୨୮%ରୁ ୨୬%କୁ ହ୍ରାସ ପାଇଛି । ଆସନ୍ତା ୨୪ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଥିବାବେଳେ ଏବେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଏହା ମଧ୍ୟରେ ଗୁରୁବାର ରାଜ୍ୟର ୧୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ବିଶେଷ କରି ଉପକୂଳବର୍ତ୍ତୀ ତଥା ତତ୍ସଲଂଗ୍ନ ଜିଲ୍ଲାଗୁଡ଼ିକରେ ଭାରୀ ବର୍ଷା ସମ୍ଭାବନା ରହିଛି ।
କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ଦେଓଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନାଗିରି ଓ ସୁନ୍ଦରଗଡ଼ର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ମାରିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।