34.1 C
Bhubaneswar
Saturday, May 18, 2024
Homeଓଡିଶାଜାଡ଼ରେ ଥରୁଛି ଓଡ଼ିଶା : ଆଉ ୫ଦିନ ଶୁଖିଲା, ଖସିବ ପାରଦ

ଜାଡ଼ରେ ଥରୁଛି ଓଡ଼ିଶା : ଆଉ ୫ଦିନ ଶୁଖିଲା, ଖସିବ ପାରଦ

ଭୁବନେଶ୍ୱର: ଉତ୍ତର ତଥା ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହ ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସଦୃଶ ଗତ ୧୫ ତାରିଖରୁ ରାଜ୍ୟରେ ଥଣ୍ଡା ପରିମାଣ ବୃଦ୍ଧି ପାଇଛି । ଏହାର ଅଧିକାଂଶ ପ୍ରଭାବ ଗତ ୨୪ ଘଣ୍ଟାରେ ନଜରକୁ ଆସିଛି । ୬.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଥିବାବେଳେ ମୋଟ ୯ ସହରରେ ତାପମାତ୍ରା ୧୧ଡ଼ିଗ୍ରୀ ତଳେ ରହିଛି । ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ, ଭବାନୀପାଟଣାଠାରେ ୧୦ ଡ଼ିଗ୍ରୀ ଥିବାବେଳେ ଚାନ୍ଦବାଲିରେ ତାପମାତ୍ରା ୧୦.୮ ଡିଗ୍ରୀ ରହିଛି । ମୋଟ ୨୩ ସହରରେ ପାରଦ ୧୫ ଡିଗ୍ରୀ ତଳେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୧୨.୨ ଏବଂ କଟକରେ ରାତ୍ରି ତାପମାତ୍ରା ୧୨ଡ଼ିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି । ଯଦିଓ ଶୀତ ସହନୀୟ ତଥାପି ବୟସ୍କ ବ୍ୟକ୍ତି ଏବଂ ଛୋଟପିଲାଙ୍କଠାରେ ଶୀତ ପ୍ରଭାବରୁ ଶୀତ ଜନିତ ରୋଗ (ଥଣ୍ଡା-ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବାହାରିବା, ଛିଙ୍କ ପ୍ରଭୃତି) ଦେଖାଦେବାରେ ସମ୍ଭାବନା ରହିଛି । ସନ୍ଧ୍ୟାରୁ ରାତ୍ରି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ ତଥା ଶୀତରୁ ରକ୍ଷା ପାଇଁ ଶୀତ ବସ୍ତ୍ର ସହ ଏକାଧୂକ ପୋଷାକ ପରିଧାନ କରନ୍ତୁ । ଗୃହ-ପାଳିତ ପଶୁମାନେ ଦୀର୍ଘ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗୃହ-ପାଳିତ ପଶୁମାନଙ୍କ ରହିବା ପାଇଁ ଖୋଲା-ସ୍ଥାନ ପରିବର୍ତ୍ତେ ଆବଶ୍ୟକୀୟ ଘର ର ବ୍ୟବସ୍ଥା କରନ୍ତୁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନାରେ ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିଛି । ଏବେ ରାଜ୍ୟ ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ପ୍ରଭାବ ନଥିଲାବେଳେ ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ରାଜ୍ୟର ପ୍ରାୟ ସବୁ ସହରରେ ରାତି ପାରଦ ତଳକୁ ଖସିଛି । ଉପକୂଳରେ ଦୃଷ୍ଟାନ୍ତ ମୂଳକ ଭାବେ ପାରଦ ତଳକୁ ଖସି ଥିବାବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟ ପାରଦ ୦.୩ରୁ ୨ ଡିଗ୍ରୀ ଯାଏ ତଳକୁ ଆସିଛି । ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିବା ସହ ଶୀତ ଜାରି ରହିବ । ଆସନ୍ତା ଦୁଇ ତିନି ଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ ଖସିପାରେ । ୨୧ ତାରିଖ ବେଳକୁ ଶୀତ ଆହୁରି କମିବ । ଶୀତ ଲହରୀ ଅନୁଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ତଥ୍ୟରୁ ପ୍ରକାଶ ଯେ, ଗତ ୨୪ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି । ଉପକୂଳ ଅଞ୍ଚଳରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୨.୫ ଡିଗ୍ରୀ କମିଯାଇଛି । ସ୍ୱାଭାବିକ ତୁଳନାରେ ଛତ୍ରପୁର ଓ ଶିମିଳିପାଳରେ ରାତି ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇଥିବାବେଳେ ଭୁବନେଶ୍ୱରରେ ୨.୨ ଡିଗ୍ରୀ, କଟକରେ ୨ ଡିଗ୍ରୀ ହ୍ରାସ ପାଇଛି । ସେହିପରି କୋରାପୁଟ, ମୟୁରଭଞ୍ଜ, ଟିଟିଲାଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ରାୟଗଡା, ଅନୁଗୁଳ, ଗୋପାଳପୁର ଓ କେନ୍ଦୁଝରରେ ପାରଦ ସ୍ୱାଭାବିକଠୁ ୧ରୁ ୨ ଡିଗ୍ରୀ ଯାଏଁ କମ୍ ରହିଛି । ଏହି ପାରଦ ଆଗକୁ ଆହୁରି ତଳକୁ ଖସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking