ନୂଆଦିଲ୍ଲୀ : ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ସିଜନ୍ ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର୍ ଶେନ୍ ୱାଟ୍ସନ୍ଙ୍କୁ ନିଜ ସହାୟକ କୋଚ୍ ନିଯୁକ୍ତ କରିଛି । ମଙ୍ଗଳବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଟ୍ୱିଟର୍ରେ ଏହି ସୂଚନା ଦିଆଯାଇଛି । ୪୦ ବର୍ଷୀୟ ୱାଟ୍ସନ୍ ଦିଲ୍ଲୀ କୋଚିଂ ଷ୍ଟାଫ୍ରେ ମୁଖ୍ୟ କୋଚ୍ ରିକି ପଣ୍ଟିଂ, ସହାୟକ କୋଚ୍ ପ୍ରବୀଣ ଆମ୍ବ୍ରେ, ଅଜିତ୍ ଆଗରକର ଓ ବୋଲିଂ କୋଚ୍ ଜେମ୍ସ ହୋପ୍ଙ୍କ ସହ କାମ କରିବେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଜାରି ଏକ ବିବୃତିରେ ୱାଟ୍ସନ୍ କହିଛନ୍ତି ‘ଆଇପିଏଲ୍ ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ଟୁର୍ଣ୍ଣାମେଣ୍ଟ୍ । ୨୦୦୮ରେ ଶେନ୍ ୱାର୍ଣ୍ଣଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟାଇଟଲ୍ ଜିତିବା ଏବଂ ପରେ ଆର୍ସିବି ଓ ସିଏସ୍କେ ପକ୍ଷରୁ ଜଣେ ଖେଳାଳି ଭାବେ ଆଇପିଏଲ୍ରେ ମୋର ବହୁ ଅଭୁଲା ସ୍ମୃତି ରହିଛି । ଏବେ ରିକି ପଣ୍ଟିଂଙ୍କ ନେତୃତ୍ୱରେ କାମ କରିବାର ସୁଯୋଗ ମିଳିବା କମ୍ ସୌଭାଗ୍ୟର ବିଷୟ ନୁହେଁ ବୋଲି ଏହି ପୂର୍ବତନ ଅଲ୍ରାଉଣ୍ଡର୍ କହିଛନ୍ତି । ସୀମିତ ଓଭର୍ କ୍ରିକେଟ୍ରେ ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର୍ ଭାବେ ପରିଗଣିତ ୱାଟ୍ସନ୍ ଅଷ୍ଟ୍ରେଲିଆର ୨୦୦୭ ଓ ୨୦୧୫ ବିଶ୍ୱକପ୍ ବିଜୟ ଅଭିଯାନର ଅଂଶବିଶେଷ ଥିଲେ । ସେହିପରି ଟି-୨୦ ବିଶ୍ୱକପ୍ରେ ସେ ପ୍ଲେୟର୍ ଅଫ୍ ଟୁର୍ଣ୍ଣାମେଣ୍ଟ୍ ବିବେଚିତ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ୧୯୦ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଥିବା ୱାଟ୍ସନ୍ଙ୍କ ନାମରେ ୭୦୦୦ ରନ୍ ଓ ୨୦୦ରୁ ଊଦ୍ଧ୍ୱ ୱିକେଟ୍ ରହିଛି । ଆଇପିଏଲ୍ରେ ସେ ରାଜସ୍ଥାନ ରୟାଲ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଖେଳିଥିବା ବେଳେ ରାଜସ୍ଥାନ ସହ ୨୦୦୮ ଓ ସିଏସ୍କେ ସହ ୨୦୧୮ରେ ଦୁଇ ଥର ଟାଇଟଲ୍ ଜିତିଥିଲେ ।