ଜଗନ୍ନାଥପ୍ରସାଦ: ଘରେ ଘରେ ପାଣି ପହଞ୍ଚିବ, କେହି ଆଉ ଜଳ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବେନାହିଁ ବୋଲି ରାଜ୍ୟ ସରକାର ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ଆଜି ବି ଅନେକ ଗ୍ରାମ ଅଛି ଯେଉଁଠି ପିଇବା ପାଣି ସଂଗ୍ରହ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପଞ୍ଚାୟତର ମହିଳାମାନଙ୍କୁ ପାଣି ପାଇଁ ବହୁ କିଲୋମିଟର ଦୂର ଚାଲି ଯିବାକୁ ପଡୁଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଜଗନ୍ନାଥପ୍ରସାଦ ବ୍ଲକର ଜିରାବାଡି ପଞ୍ଚାୟତର ମୁଣ୍ଡିଆ ସାହି ଓ ଜଗତପାଟଣା ଗ୍ରାମରେ ।
ଉଭୟ ସାହିରେ ଲାଗି ରହିଥିବା ଜଳକଷ୍ଟ ସମସ୍ୟା ଆଜି କି କାଲିର ନୁହଁ । ଦୀର୍ଘ ୫ ରୁ ୭ ବର୍ଷ ହେବ ଏହି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଉଭୟ ଗ୍ରାମବାସୀ । ଜିରାବାଡି ଗ୍ରାମ ୨୦୧୭ ମସିହାରେ ଜଗନ୍ନାଥପ୍ରସାଦ ଗ୍ରାମ ପଞ୍ଚାୟତରୁ ବିଛିନ୍ନ ହୋଇ ନୁଆ ପଞ୍ଚାୟତ ରୂପେ ଗଠିତ ହୋଇଥିଲା । ପଞ୍ଚାୟତ ଅଧୀନସ୍ଥ ଏହି ପଞ୍ଚାୟତରେ ପ୍ରଥମେ ବୋଡା ନଦୀରେ ଇନଟେକ ୱେଲ ଓ ଗ୍ରାମର ମୁଣ୍ଡିଆ ସାହିରେ ଓଭରହେଡ଼ ଟାଙ୍କି ବସାଯାଇ ଉଭୟ ଜଗନ୍ନାଥପ୍ରସାଦ ଓ ଜିରାବାଡି ପଞ୍ଚାୟତରର ଜିରାବାଡି ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ଜଗନ୍ନାଥପ୍ରସାଦ ଅଞ୍ଚଳ ପାଇଁ ନୂଆ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ଜିରାବାଡି ଗ୍ରାମର ପ୍ରତ୍ୟେକ ସାହିକୁ ପିଇବା ପାଣିର ବ୍ୟବସ୍ଥା ଥିବାବେଳେ ମୁଣ୍ଡିଆ ସାହି ଓ ଜଗତପାଟଣା ସାହିରେ ପାଣି ପାଇଁ ସହିବାସିନ୍ଦା ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଖାପାଖି ୧୦୦ରୁ ଅଧିକ ପରିବାର ଏହି ଦୁଇ ସାହିରେ ବସବାସ କରୁଥିବା ବେଳେ ସେମାନେ ବର୍ଷ ତମାମ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି । ଏହି ସାହିରେ ଦୁଇଟି ନଳକୂପ ରହିଛି । ହେଲେ ଏହାର ଜଳ ବ୍ୟବହାର ଉପଯୋଗୀ ହୋଇନଥିବା ବେଳେ କଳଙ୍କି ଜଳ ବାହାରୁଥିବା ସାହିବାସିନ୍ଦା କହିଛନ୍ତି । ପିଇବା ପାଇଁ ନିକଟସ୍ଥ ଦୁଇକିଲୋ ମିଟର ଦୂରରେ ଥିବା ନାତୁଣୀନାଳର ଜଳକୁ ସଂଗ୍ରହ କରି ନେଉଛନ୍ତି । ଉଭୟ ସାହିର ଜଳକଷ୍ଟ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଓ ଜନ ପ୍ରତିନିଧି କେବେ ଦୃଷ୍ଟି ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।