36.1 C
Bhubaneswar
Saturday, May 4, 2024
Homeଓଡିଶାମିଳୁନି ପିଇବା ପାଣି, ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ

ମିଳୁନି ପିଇବା ପାଣି, ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ

ଗଞ୍ଜାମ : ବ୍ରହ୍ମପୁର ମହାନଗର ନିଗମର ପୁରୁଣା ବ୍ରହ୍ମପୁର ଅଞ୍ଚଳକୁ ମିଳୁନି ପିଇବା ପାଣି । ପୂରୁଣା ବ୍ରହ୍ମପୁର, ହରିଡାଖଣ୍ଡି ଶାନ୍ତି ନଗର, ଗଣେଶ ନଗର, ପ୍ରହଲାଦ ନଗର ସମେତ ଆଖ ପାଖ ଅଞ୍ଚଳର ବହୁ ସାହି ବାସିନ୍ଦା ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ସାହିବାସିନ୍ଦା ପାଣି ଯୋଗାଣ ଦାବିରେ ଗଣେଶ ନଗର ମୁଖ୍ୟ ରାସ୍ତା ଉପରେ ଖାଲି ହାଣ୍ଡି, ମାଠିଆ, ବାଲ୍‌ଟି ଧରି ଧାରଣା ଦେଇଥିଲେ । ସାତ ଦିନ ହେଲା ପାଣି ମିଳିନି । ପାଣି ଆସିବା ଦିନ ୧୦ରୁ ୧୫ ମିନଟ ପାଣି ମିଳୁଛି । ତାହା ଆବଶ୍ୟକତାକୁ ପୂରଣ କରିପାରୁନି । ଅନେକ ସ୍ଥାନରେ ପାଇପ୍ ଫାଟିଛି । ରାସ୍ତାରେ ପାଣି ଭାସୁଛି । ମରାମତି ନହେବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି । ଅନେକ ଥର ଏପରି ଆନ୍ଦୋଳନ କରିବା ପରେ ମଧ୍ୟ ପିଇବା ପାଣି ମିଳୁନାହିଁ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ପିଇବା ପାଣି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରିଛନ୍ତି । କିନ୍ତୁ ତାହା ସଠିକ୍ ସମୟରେ ଲୋକଙ୍କ କାମରେ ଆସୁନାହିଁ ବୋଲି ଅଭିଯୋଗ ହୋଇଛି । ମୁଖ୍ୟତଃ ପାନୀୟ ଜଳ ଯୋଗାଣରେ ଅନିୟମିତତା ସହରର ଆଜି ସବୁଠାରୁ ବଡ଼ ସମସ୍ୟା ହୋଇଛି । ବିଏମସି ପାଣି ସମସ୍ୟା ଦୂର କରିବା ପାଇଁ ବ୍ୟୟ ବହୁଳ ଜାନିବିଲି ପ୍ରକଳ୍ପ ପ୍ରତିଷ୍ଠା ହୋଇଛି । ଏହି ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନି ।

ଏପରିକି ପାଇପ୍ ବିଛା କାମଠାରୁ ଆରମ୍ଭ କରି ସମସ୍ତ ଘରକୁ ପାଣି ଯୋଗାଣ ହୋଇ ନ ଥିବା ଜଣାପଡିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ପ୍ରକଳ୍ପ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ପ୍ରକଳ୍ପ ପାଇଁ ପାଇପ୍ ଲାଇନ୍ ବିଛା କାମ ଓ ସମସ୍ତ ଘରକୁ ଜଳ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଥିମଧ୍ୟରେ ଅନେକ ମାସ ବିତି ଯାଇଛି। କିନ୍ତୁ ଏବେ ସୁଦ୍ଧା ପାଣି ପାଇଁ ସହରବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking