ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଉ ୪ଟି ଗେଟ ଖୋଲିଛନ୍ତି ହୀରାକୁଦ କତୃପକ୍ଷ । ବର୍ତ୍ତମାନ ମୋଟ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଲଭଣ୍ଡାରକୁ ସେକେଣ୍ଡ ପ୍ରତି ୪,୪୦,୦୦୨ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି। ଅନ୍ୟପଟେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ୱରୁ ମୋଟ ୨୬ଟି ଗେଟ,ପାୱାର ଚେନାଲ ଯୋଗେ ସେକେଣ୍ଡ ପ୍ରତି ୩,୮୯,୧୭୪ କ୍ୟୁସେକ ବନ୍ୟା ନିଷ୍କାସନ ହେଉଛି । ଗତକାଲି ମଧ୍ୟାହ୍ନରେ ହୀରାକୁଦର ୬ଟି ଗେଟ୍ ଖୋଲା ଯାଇଥିବାବେଳେ ସନ୍ଧ୍ୟାବେଳେ ଆଉ ୨ଟି ଗେଟ୍ ଖୋଲାଯାଇଥିଲା । ଏହା ପୂର୍ବରୁ ଗୁରୁବାର ୮ଟି ଗେଟ୍ ଓ ବୁଧବାର ୬ଟି ଗେଟ୍ ଖୋଲାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇ ୨୨ ତାରିଖରେ ହୀରାକୁଦର ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଗତ ଅଗଷ୍ଟ ୫ ତାରିଖ ସୁଦ୍ଧା ୧୭ଟି ଗେଟ୍ ଖୋଲାଯାଇଥିଲା। ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରୁ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।