ଲକ୍ଷ୍ନୌ : ଉତ୍ତରପ୍ରଦେଶର ଅଲୀଗଡ ଜିଲାରେ ଆଜି ମଧ୍ୟାହ୍ନ ସମୟରେ ଏକ ଅଘଟଣ ଘଟିଛି । ବର୍ଷା କାରଣରୁ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡି ପଡି ୭ ଜଣ ଶିଶୁ ଏହା ତଳେ ଦବି ଯାଇଛନ୍ତି । ହୁସେନପୁର ଶହଜାଦପୁର ଅଞ୍ଚଳରେ ହୋଇଥିବା ଏହି ଅଘଟଣରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ଏହାସହ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ସଭିଁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଜିଲାର ଦାଦୋ ଅଞ୍ଚଳରେ ଏହି ଘଟଣା ଘଟିଛି । ହୁସେନପୁର ଶହଜାଦପୁରରେ ଏକ ଘର ତିଆରି ହୋଇଥିଲା । ଏହାର ନିକଟରେ ସ୍କୁଲରୁ ପଢା ସାରି ପିଲାମାନେ ଫେରୁଥିଲେ । ହଠାତ୍ ସେହି ସମୟରେ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡି ପଡିବାରୁ ୭ ଜଣ ପିଲା ଏହାତଳେ ଦବି ଯାଇଥିଲେ । ଏହାପରେ ସ୍ଥାନୀୟଲୋକେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୁଲିସ ଓ ଉଦ୍ଧାରକାରୀ ଦଳଙ୍କୁ ଏନେଇ ଖବର ଦେଇଥିଲେ । କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି । ଘଟଣାର ତଦନ୍ତ କରାଯାଉଛି ।