ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ପବନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସାମ ଏବଂ ଉତ୍ତର ପ୍ରଦେଶରେ ଖେରାଙ୍କ ବିରୋଧରେ ରୁଜୁ ଏଫ୍ଆଇଆର୍କୁ କ୍ଲବ୍ କରିବା ପରେ ମାମଲାର ଶୁଣାଣି ୧୭ରେ ହେବ ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନେତୃତ୍ୱାଧୀନ ଖଣ୍ଡପୀଠ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି ।
ଏହା ପୂର୍ବରୁ ଫେବୃଆରୀ ୨୮ ତାରିଖରେ ଆସାମ ଏବଂ ଉତ୍ତରପ୍ରଦେଶ ସରକାର ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ମାର୍ଚ୍ଚ ୩ ତାରିଖ ଧାର୍ଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବାପରେ ଖେରାଙ୍କ ବିରୋଧରେ ଆସାମ ଏବଂ ଉତ୍ତରପ୍ରଦେଶରେ ୩ଟି ଏଫ୍ଆଇର୍ ରୁଜୁ ହୋଇଥିଲା । ଏହି ମାମଲାରେ ଆସାମ ପୁଲିସ ଫେବୃଆରୀ ୨୩ରେ ଖେରାଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଥିଲା ।