କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ବଢିବାରେ ଲାଗିଛି । ଅନେକ ସମୟରେ ଗୁଳିମାଡ ଘଟଣା ପ୍ରକାଶ ପାଉଛି । ପୁଣିଥରେ ଏଠାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି(ଶନିବାର) ରାତିରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଏହି ଗୁଳିକାଣ୍ଡ ହୋଇଛି । ମୃତକ ହେଲେ ଟିଏମସି କର୍ମୀ ଜିଆରୁଲ ମୋଲ୍ଲା । ଗୁଳିମାଡରେ ଗୁରୁତର ହୋଇ ସେ ରାସ୍ତାକଡରେ ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ରାଜନୈତିକ ଶତ୍ରୁତା କାରଣରୁ ମୋଲ୍ଲାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାର ଲୋକ କହିଛନ୍ତି ଯେ, ଜିଆରୁଲ ମୋଲ୍ଲା ଯୁବ ତୃଣମୂଳ କଂଗ୍ରେସ ସଦସ୍ୟ ଥିଲେ । ଏଥିପାଇଁ ତାଙ୍କୁ ଅନେକ ସମୟରେ ହତ୍ୟା ଧମକ ମିଳିଥିଲା । ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି, ମୋ ବାପାଙ୍କ ଅନେକ ରାଜନୈତିକ ଶତ୍ରୁ ଥିଲେ । ଦଳର ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସମୟରେ ଧମକ ମିଳୁଥିଲା । ସେମାନଙ୍କ ଗୋଷ୍ଠୀରେ ସାମିଲ ହେବାକୁ ବାପାଙ୍କ ଉପରେ ଚାପ ପକାଉଥିଲେ । ଏଥିପାଇଁ ଅଜ୍ଞାତ ବ୍ୟକ୍ତିମାନେ ବିଭିନ୍ନ ନମ୍ବରରୁ କଲ୍ କରି ହତ୍ୟା ଧମକ ଦେଉଥିଲେ । ଗତକାଲି(ଶନିବାର) ଜିଆରୁଲ ମୋଲ୍ଲାଙ୍କୁ କେହି ଗୁଳି କରିଥିଲା । ସେ ଗୁରୁତର ଅବସ୍ଥାରେ ରାସ୍ତାକଡରେ ପଡିଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ କିଏ ତାଙ୍କୁ ହତ୍ୟା କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ବିଜେପି ଏହି ହତ୍ୟାକାଣ୍ଡକୁ ଦୁର୍ଭାଗ୍ୟଜନକ ବୋଲି କହି ନିନ୍ଦା କରିଛି ।