28.1 C
Bhubaneswar
Saturday, July 27, 2024
Homeଓଡିଶା ଭିଣ୍ଟେଜ୍‌ କାର୍‌ ପ୍ରଦର୍ଶନୀ

 ଭିଣ୍ଟେଜ୍‌ କାର୍‌ ପ୍ରଦର୍ଶନୀ

ଭୁବନେଶ୍ବର: ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ପ୍ରଥମ ‘ଓଡ଼ିଶା କନକର୍ସ ଡି’ ଏଲିଗାନ୍ସ’ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ଏଭଳି ଭିଣ୍ଟେଜ୍‌ କାର୍‌ ପ୍ରଦର୍ଶନୀ ହେଉଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ସମଗ୍ର ଭାରତରୁ ୫୦ରୁ ଅଧିକ ଭିଣ୍ଟେଜ୍‌ କାର୍‌କୁ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶିତ ପ୍ରତିଟି କାର୍‌ ବିଗତ ଦିନର ସମୃଦ୍ଧ ଇତିହାସ ଏବଂ କାରିଗରୀର ମୂକସାକ୍ଷୀ ପାଲଟିଥିବା ବେଳେ ସେଗୁଡ଼ିକ ବେଙ୍ଗା‌ଲୁରୁ, ମୁମ୍ବାଇ, କୋଲକାତା, ନୂଆଦିଲ୍ଲୀ, ଚେନ୍ନାଇ ତଥା ଭୁବନେଶ୍ବରରୁ ଆସିଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଧର୍ମାଦିତ୍ୟ ପଟ୍ଟନାୟକଙ୍କ ବେଞ୍ଜ ମୋଟରୱାଗନର ୧୮୮୬ ପ୍ରତିକୃତି, ୧୯୩୪ର ରୋଲ୍‌ସ ରଏସ୍‌ ୨୦/୨୫, ୧୯୨୯ର ବୁଗାଟି ଟିଏସଏସ ଗ୍ରାଣ୍ଡ ପ୍ରିକ୍ସ, ୧୯୩୨ର ଫର୍ଡ ଭି, ୧୯୨୦ର ମୁନ ୬-୪୨, ୧୯୪୭ର କାଡିଲାକ କୁପ୍‌, ୧୯୬୨ର ଜାଗୁଆର ଏମକେ ୨ ସାଲୁନ ଓ ଆହୁରି ଅନେକ କାର୍‌ ସାମିଲ ହୋଇଛି।

ଏହି ଅବସରରେ ଓଡ଼ିଶା କନକର୍ସର କ୍ୟୁରେଟର ତଥା ଭିଣ୍ଟେଜ୍‌ କାର୍‌ ସଂଗ୍ରହକାରୀ ଧର୍ମାଦିତ୍ୟ ପଟ୍ଟନାୟକ କହିଥିଲେ, ‘‘ପ୍ରଥମ ‘ଓଡ଼ିଶା କନକର୍ସ ଡି’ ଏଲିଗାନ୍ସ’ର ସଫଳତା ଦେଖି ଆମେ ଆନନ୍ଦିତ। ଭିଣ୍ଟେଜ୍‌ ରୋଲ୍ସ-ରଏସ୍‌ ଠାରୁ ଆରମ୍ଭ କରି କ୍ଲାସିକ୍ ଜାଗୁଆର ପର୍ଯ୍ୟନ୍ତ ଏହି କ‌ାର୍ଯ୍ୟକ୍ରମ ଗାଡ଼ି ଡିଜାଇନ୍ ଏବଂ ଇଞ୍ଜିନିୟରିଂର ବିକାଶର ଏକ ବିରଳ ଝଲକ ପ୍ରଦାନ କରୁଛି।’’ ଉଦ୍‌ଘାଟନୀ ଉତ୍ସବରେ ‘ଓଡ଼ିଶା କନକର୍ସ ଡି ଏଲିଗାନ୍ସ’ର ସମସ୍ତ ସଦସ୍ୟଙ୍କ ସହିତ ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ବହୁ କାର୍ ପ୍ରେମୀ ଯୋଗ ଦେଇଥିଲେ। ଏଚ୍‌ଏମ୍‌ସିଆଇ, ଇଆଇଏମ୍‌ଜି, ଭିସିସିଆଇ, ଏଚ୍‌ସିଏଆଇ ଓ କେଭିସିସିସି ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗର ‘ଓଡ଼ିଶା-ଇଣ୍ଡିଆଜ ବେଷ୍ଟ କେପ୍ଟ ସିକ୍ରେଟ’ ସମର୍ଥନରେ ଏବଂ ଫାଲକନ୍, ଡିଏନ୍ ଗ୍ରୁପ୍, ଖିମ୍‌ଜୀ, ଏଲ୍‌ୱାଇଏଫ୍‌ର ହୋଟେଲ, ଡବ୍ଲ୍ୟୁଜିଏଚ୍ ଏବଂ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କୋଲକାତାର ଶ୍ରୀବର୍ଦ୍ଧନ କନୋରିଆଙ୍କ ୧୯୨୦ ‘ମୁନ୍ ଟୁରଟ୍’ ୬-୪୨। ଏମିତି ଗାଡ଼ି ଦୁନିଆରେ କେ‌ବଳ ୨ଟି ଅଛି। ଗୋଟିଏ ଇନ୍‌ହେନ୍ସ ଅଟୋମୋବାଇଲ କମ୍ପାନିର ମ୍ୟୁଜିୟମରେ ରହିଥିବା ବେଳେ ଅନ୍ୟଟି ଶ୍ରୀ କନୋରିଆଙ୍କ ପାଖରେ ଅଛି। କାର୍‌ଟି ପୁରୁଣା ହୋଇଥିବାରୁ ଏହାର ଗୁରୁତ୍ବ ଯେତିକି , ତା’ଠାରୁ ଅଧିକ ଗୁରୁତ୍ବ ବିଗତ ଦିନରେ ଏହାକୁ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ପାଇଁ। ଏହା ଉଦୟପୁର ମହାରାଜାଙ୍କ ଦ୍ବାରା ପ୍ରଥମେ କିଣା ଯାଇଥିଲା। ସେ ସମୟ‌ର ସବୁଠାରୁ ଅଧିକ ବିଳାସପୂର୍ଣ୍ଣ କାର୍‌ ଥିବାରୁ ମହାରାଜା ନିଜ ବ୍ୟକ୍ତିଗତ କାର୍‌ଭାବେ ‘ମୁନ୍‌’କୁ ବ୍ୟବହାର କରୁଥିଲେ। ତା’ପରେ ଅନ୍ୟ ଦୁଇ ତିନି ଜଣଙ୍କ ପରେ ଶ୍ରୀ କନୋରିଆଙ୍କ ବାପା ସ୍ବର୍ଗତ ଶଶିକୁମାର କନୋରିଆ ତାଙ୍କୁ ଉପହାର ଦେଇଥିଲେ। ତେବେ କେବଳ ଏହି ଗୋଟିଏ କାର୍‌ ନୁହେଁ, ଶ୍ରୀବର୍ଦ୍ଧନ ନିଜ ସହିତ ଆଉ ୨ଟି ପୁରୁଣା ଗାଡ଼ି ଆଣିଛନ୍ତି। ଗୋଟିଏ ୧୯୨୩ ରୋଲ୍‌ସ ରଏସ୍‌- ସ୍ପୋର୍ଟସ୍‌ ଓ ଅନ୍ୟଟି ରୋଲ୍‌ସ ରଏସ୍‌ ୧୯୩୮। ରୋଲ୍‌ସ ରଏସ୍‌ ୧୯୩୮କୁ ଫର୍ମାଲ୍ ରୋଲ୍‌ସ ରଏସ୍‌ ମଧ୍ୟ କୁହାଯାଉଥିଲା।

ଏହାକୁ ଏଭଳି କହିବା ପଛର କାରଣ ଗାଡ଼ିର ଗୁରୁତ୍ବକୁ ଅଧିକ ବଢ଼ାଇଛି। ଶ୍ରୀ କନୋରିଆଙ୍କ କହିବା କଥା, ଗାଡ଼ିରେ ଡ୍ରାଇଭର୍ ସିଟ୍ ଓ ମଝିରେ ଏକ କାଚ ରହିଛି। ଗାଡ଼ିର ପଛରେ ବସିଥିବା ଲୋକଙ୍କ କଥା ଗାଡ଼ି ଚାଳକଙ୍କୁ ଶୁଣାଯିବ ନାହିଁ। କେବଳ ସେତିକି ନୁହେଁ, ଚାଳକଙ୍କ ସହ କଥାହେବା ପାଇଁ ସେଥିପାଇଁ ଏକ ୱାକିଟକିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଗୁଜରାଟ ଭଦୋଦରାର ମହାରାଣୀ ସାନ୍ତାଦେବୀ ଗୋଟିଏ ସ୍ବତନ୍ତ୍ର କାର୍‌ ବ୍ୟବହାର କରିବାକୁ ଇଚ୍ଛା କଲେ। ମହାରାଣୀଙ୍କର କଡ଼ା ନିର୍ଦ୍ଦେଶ ହେଲା କାର୍‌କୁ ସ୍ବତନ୍ତ୍ର ରଙ୍ଗରେ ରଙ୍ଗାଯିବ ଓ ସେହିଭଳି କାର୍ ଆଉ ତିଆରି ହେବନାହିଁ। ତେଣୁ ଗୋଲ୍ଡେନ୍ ବ୍ଲାକ୍ ଟପେଷ୍ଟ୍ରିର ସିଟ୍ କଭର୍ ଓ କସିନୋ ଭେଲଭେଟ୍ ରେଡ୍ ସ୍ବତନ୍ତ୍ର ରଙ୍ଗରେ କାର୍‌ ତିଆରି ହେଲା। ପୃଥିବୀରେ ଏଭଳି କାର୍‌ କେବଳ ଗୋଟିଏ, ଯାହାକୁ ଦିଲ୍ଲୀର ମଦନ ମୋହନ କିଣିଛନ୍ତି। ଭିଣ୍ଟେଜ୍‌ କାର୍‌ପ୍ରେମୀ ମଦନ ମୋହନଙ୍କ ଏଭଳି ପାଖାପାଖି ୭୦- ୮୦ଟି ପୁରୁଣା କାର୍‌ ରହିଛି। ଲମ୍ବା ଇତିହାସ ଥିବା ଏହିସବୁ କାର୍‌ ସହିତ କ୍ୟୁରେଟର ଧର୍ମାଦିତ୍ୟ ପଟ୍ଟନାୟକଙ୍କ ୧୯୫୯ ସେଭ୍ରୋଲେଟ୍‌ ଇମ୍ପାଲା, ୧୯୨୯ କ୍ଲବ୍ ସଲୋନ୍‌, ମୟୂରଭଞ୍ଜ ମହାରାଜାଙ୍କ ୧୯୩୭ ଏଲ୍‌ଭେସ୍‌, ହର୍ସନ୍, ଡଚ୍ ଭଳି ଅନେକ କାର୍‌ ପୁରୁଣା ପ୍ରଦର୍ଶନୀକୁ ଆସିଥିବା କାର୍‌ପ୍ରେମୀଙ୍କୁ ଆକୃଷ୍ଟ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking