35.1 C
Bhubaneswar
Tuesday, May 21, 2024
Homeଓଡିଶାମୟୁରଭଞ୍ଜଚନ୍ଦ୍ରରେ ଜାଗା ଦେବା ନାମରେ କୋଟି କୋଟି ଟଙ୍କା ଠକିନେଇ ହରଡ଼ଘଣାରେ ଭିଜିଲାନ୍ସ ଅଧିକାରୀ

ଚନ୍ଦ୍ରରେ ଜାଗା ଦେବା ନାମରେ କୋଟି କୋଟି ଟଙ୍କା ଠକିନେଇ ହରଡ଼ଘଣାରେ ଭିଜିଲାନ୍ସ ଅଧିକାରୀ

ମୟୂରଭଞ୍ଜ : ଚିଟଫଣ୍ଡ ଘୋଟାଲାର ନିଆଁ ନ ଲିଭୁଣୁ ସାମ୍ନାକୁ ଆସିଲା ଆଉ ଏକ ଚିଟଫଣ୍ଡ ଠକେଇ ମାମଲା। ତେବେ ଏହି ଘୋଟାଲା ଟିକେ ଭିନ୍ନ ଏବଂ ରୋମାଞ୍ଚକର। ଠକଭଣ୍ଡ ସାଙ୍ଗକୁ ଜାଲିୟାତି, ଦୁର୍ନୀତିଖୋରଙ୍କୁ ଧରି ଲୋକଙ୍କୁ ନ୍ୟାୟ ଦେବାର ଗୁରୁଦାୟିତ୍ବ ତୁଲାଉଥିବା ଭିଜିଲାନ୍ସ ବିଭାଗର ଅଧିକାରୀ ଏଠି ନିଜେ ଠକାମୀର ଶିକାର କରିଛନ୍ତି ନିରୀହ ଜମାକାରୀଙ୍କୁ। ଆଉ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳର। ଚନ୍ଦ୍ରରେ ଜମି ଦେବା ନାମରେ ଟଙ୍କା ନେଇ ଜମାକାରୀଙ୍କୁ ଚୂନା ଲଗାଇଲେ ଭିଜିଲାନ୍ସ ବିଭାଗ ଅଧିକାରୀ। ସୂଚନାଯୋଗ୍ୟ, ୨୦୨୧ ମସିହାରେ ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ବହୁ କଟକଣା ଲାଗୁ କରିଥିଲେ ସରକାର। ଆଉ ନିର୍ଜନ ନିରୋଳା ସମୟର ଭରପୁର ଫାଇଦା ଉଠାଇଥିଲେ ଭିଜିଲାନ୍ସ କୋର୍ଟ ସବ ଇନସପେକ୍ଟର ରାମଚନ୍ଦ୍ର ମହାଳିକ। ନିଜକୁ ଭିଜିଲାନ୍ସ ବିଭାଗର ଉଚ୍ଚ ପଦାଧିକାରୀ ବୋଲି ପରିଚୟ ଦେଇ ପ୍ରଥମେ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ପରେ କ୍ରାଉଡ଼ ୱାନ ନାମକ ସଂସ୍ଥାରେ ଟଙ୍କା ରଖିବାକୁ ପ୍ରବର୍ତ୍ତାଇ ଥିଲେ। ବହୁକମ ସମୟରେ ଜମାଟଙ୍କା ବହୁଗୁଣିତ ହୋଇଯିବ ବୋଲି ଲୋଭନୀୟ ପ୍ରସ୍ତାବ ଦେଇଥିଲେ ଜମାକାରୀଙ୍କୁ। ଏମିତି କି ଚନ୍ଦ୍ରରେ ଜମି ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ। ଯାହା ବିକ୍ରି କଲେ କୋଟି କୋଟି ଟଙ୍କାର ରୋଜଗାର କରି କୋଟିପତି ବନିଯିବେ ଜମାକାରୀ ବୋଲି ଆକର୍ଷଣୀୟ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ବିଭିନ୍ନ ସମୟରେ ସହଯୋଗୀଙ୍କ ସହ ସପରିବାରେ ଆସି ରାସଗୋବିନ୍ଦପୁର ଠାରେ ଆଲୋଚନାଚକ୍ର ଆୟୋଜନ କରି କ୍ରାଉଡ଼ ୱାନ ସଂସ୍ଥାରେ ଅର୍ଥଜମା ରଖିବାକୁ ଲୋଭନୀୟ ପ୍ରସ୍ତାବ ଦେଇଥିଲେ।
କ୍ରାଉଡ଼ ୱାନ ସଂସ୍ଥାରେ ଟଙ୍କା ଲଗାଇବା ନିମନ୍ତେ ଜମାକାରୀଙ୍କୁ ପ୍ରଲୋଭିତ କରାଇ ଶହଶହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ କ୍ରମେ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ସବ ଇନସପେକ୍ଟର ଥିବା ରାମଚନ୍ଦ୍ର ମହାଳିକ ,ତାଙ୍କ ପତ୍ନୀ ଜୟନ୍ତୀ ପାଣିଗ୍ରାହୀ,ପୁଅ ଆୟୁଷ୍ମାନ ପାଣିଗ୍ରାହୀ, ବାଲେଶ୍ବର ଭିଜିଲାନ୍ସ କୋର୍ଟ ସ୍ୱତନ୍ତ୍ର ପିପି ସେଖ ହାଜିରୁଦ୍ଧିନଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ ମାନ୍ୟବର ରାସଗୋବିନ୍ଦପୁର ଜେଏମ ଏଫ ସି କୋର୍ଟ ରାସଗୋବିନ୍ଦପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭିଜିଲାନ୍ସ କୋର୍ଟ ସବ ଇନସପେକ୍ଟର ବୋଲାଉଥିବା ରାମଚନ୍ଦ୍ର ମହାଳିକ ନିଜକୁ ଭିଜିଲାନ୍ସର ଉଚ୍ଚ ପଦାଧିକାରୀ ଭାବେ ମିଥ୍ୟା ପରିଚୟ ଦେଇ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲା ଓ ପୋଡ଼ଶୀ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଭୁତାଇ କ୍ରାଉଡ ୱାନ ନାମକ ଅର୍ଥଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇ କୋଟି କୋଟି ଟଙ୍କା ରୋଜଗାର ପାଇବାର କଥାକହି ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି ଠକି ନେଇଥିବା ଅଭିଯୋଗରୁ ଜଣାପଡିଛି । ଏପରି କି ପ୍ରତି ୩ମାସରେ ଜମାକାରୀମାନଙ୍କୁ ବିନା ପରିଶ୍ରମରେ କୋଟି କୋଟି ଟଙ୍କା ପାଇବାର ଲୋଭ ଦେଖାଇ ନଗଦ ଜମାରାଶି ଆଦାୟ କରିଥିଲେ । ଶ୍ରୀ ମହାଳିକ ଓ ତାଙ୍କର ପତ୍ନୀ ଜୟନ୍ତୀ ପାଣିଗ୍ରାହୀ ଓ ଅନ୍ୟ ସହଯୋଗୀ ମାନେ ଏଥିରେ ସଂପୃକ୍ତି ଥାଇ ରାସଗୋବିନ୍ଦପୁର ମଠ ଠାରେ ବୈଠକ ଦ୍ୱାରା ଜମାକାରୀମାନଙ୍କୁ ପ୍ରଲୋଭିତ କରାଇ ଏହି କାରବାର କରିଥିଲେ । ଏପରିକି ତାଙ୍କର ନାବଳକ ପୁଅ ଆୟୁଷ୍ମାନଙ୍କୁ ମଧ୍ୟ ଏହି କାରବାରରେ ସାମିଲ କରିଥିବା ଅଭିଯୋଗ ହୋଇଛି । ଏପରିକି କରୋନା ମହାମାରୀକୁନେଇ ସାରା ବିଶ୍ୱ ହାହାକାର ମଧ୍ୟରେ ସମୟ କାଟୁଥିବା ବେଳେ କ୍ରାଉଡ ୱାନ ଅନଲାଇନ ମାଧ୍ୟରେ ଚନ୍ଦ୍ରପୃଷ୍ଠରେ ଜାଗା ଯୋଗାଇବା ସହିତ କୋଟି କୋଟି ଟଙ୍କା ରୋଜଗାର ହୋଇପାରିବ ବୋଲି ଜମାକାରୀଙ୍କୁ ପ୍ରଭାବିତ କରି ଟଙ୍କାଜମା ନେଇଥିବା ଅଭିଯୋଗ ହୋଇଛି । ଟଙ୍କାଜମା କରିବାର ପ୍ରତି ୩ ମାସରେ ଜମାକାରୀଙ୍କୁ ଲାଭାଶଂ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ଦେଢବର୍ଷ ଧରି ଜମାକାରୀମାନଙ୍କୁ କୋୖଣସି ଲାଭ ଦେଇନାହାନ୍ତି । ଜମାକାରୀମାନେ ବାରମ୍ବାର ଶ୍ରୀ ମାହାଳିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଶ୍ରୀ ମହାଳିକ ଲୋକଙ୍କୁ ଠକି ଚାଲିଥିଲେ। ପରେ ଜମାକାରୀମାନେ ଚିଟଫଣ୍ଡ ଠକେଇରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଏସମ୍ପର୍କରେ ଶ୍ରୀ ମହାଳିକ ଓ ତାଙ୍କର ସହଯୋଗୀମାନଙ୍କ ପଛରେ ଗୋଡାଇ ଗୋଡାଇ ନିରାଶ ହେବା ପରେ ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟଭିକ୍ଷା କରିଛନ୍ତି ଟଙ୍କା ରଖିଥିବା ଜମାକାରୀ ସୁମନ୍ତି ରାଉତ । ଇତି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅଞ୍ଚଳର ଜମାକାରୀ ସୁମନ୍ତି ରାଉତ ନାମକ ମହିଳା ମାନ୍ୟବର ରାସଗୋବିନ୍ଦପୁର ଜେ ଏମ ଏଫ ସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗକୁ ଗ୍ରହଣ କରି ମାନ୍ୟବର ଜେ ଏମ ଏଫ ସି ର ବିଚାରପତି ସୁନିତା ବିଶ୍ୱାଳ ଘଟଣାକୁ ଗୁରୁତର ସହ ନେଇ ରାସଗୋବିନ୍ଦପୁର ଥାନା ଆଇ ଆଇ ସି ଅଭିଯୋଗକୁ ଭିତ୍ତିକରି ମାମଲା ଦାୟର କରିବା ସହ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟରେ ଆଇସିସି କେଶ ନଂ ୦୬/୨୦୨୨ ଦଫା ୨୯୪/୧୨୦(ବି)/୧୬୮/୧୭୦/୨୨୩/୪୧୬/୪୧୭/୪୧୮/୪୧୯/୪୨୦/୩୫୪/୫୦୬/୫୦୦/୩୪ ଆପିସି ମୂଳେ ମୁଦଲାଙ୍କ ବିରୁଦ୍ଧରେ ମାମଲା ରୁଜୁ ନିମନ୍ତେ ଆଦେଶ ଦେଇଥିବା ଜଣାପଡିଛି । ସେହିପରି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାସଗୋବିନ୍ଦପୁର ପୋଲିସ ଥାନା ଅଧିକାରୀ ୧୫୮/୨୨ ନଂ ମାମଲା ରୁଜୁ କରିଥିବା ଜଣାପଡିଛି। ତେବେ ଠକେଇ ମାମଲାରେ ଛନ୍ଦି ହୋଇଥିବା ଭିଜିଲାନ୍ସ କୋର୍ଟ ସବ ଇନ୍ସପେକ୍ଟର ରାମଚନ୍ଦ୍ର ମହାଳିକଙ୍କର ପୋଲିସ ବିଭାଗର ବଡ଼ ବଡ଼ ଅଧିକାରୀଙ୍କ ସହ ସମ୍ପର୍କରେ ଥିବାରୁ ମାମଲା ପ୍ରଭାବିତ କରିବାର ଆଶଙ୍କା ପ୍ରକାଶ କରିଛନ୍ତି ହତାଶ ଜମାକାରୀ। ଅନ୍ୟପଟେ ଏହି ମାମଲାକୁନେଇ ଆଗକୁ ପୋଲିସର ପଦକ୍ଷେପ କଣ ରହୁଛି ତା ଉପରେ ସମସ୍ତଙ୍କର ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking