ଛତିଶଗଡ଼: ଛତିଶଗଡ଼ର ସାକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ଥର୍ମାଲ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଅଘଟଣରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୨୦ ଜଣ ଶ୍ରମିକ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି। ବେଦାନ୍ତ ପକ୍ଷରୁ ଏହି ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ପାଇଁ ମଧ୍ୟ ଏକ କମିଟି ଗଠନ କରାଯିବା ସହ ବର୍ତ୍ତମାନ ପ୍ଲାଣ୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ, ସିଂଗିତରାଇସ୍ଥିତ ପ୍ଲାଣ୍ଟରେ ମଧ୍ୟାହ୍ନ ପ୍ରାୟ ୨.୩୦ ମିନିଟ ସମୟରେ ବଏଲରରୁ ଟରବାଇନକୁ ଉଚ୍ଚ ଚାପର ବାଷ୍ପ ନେଉଥିବା ଏକ ଟ୍ୟୁବ୍ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶକ୍ତି ଏତେ ପ୍ରବଳ ଥିଲା ଯେ ସେଠାରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା ଶ୍ରମିକମାନେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦାୟକ” ବୋଲି କହିବା ସହ ବିଳାସପୁର ଡିଭିଜନାଲ କମିଶନରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ମୃତକଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି।










