ଭୁବନେଶ୍ୱର: କୋର୍ଟ ପିଟିସନରେ ସାଂଘତିକ ଅଭିଯୋଗ କରିଛନ୍ତି ବର୍ଷା । ସାଂସଦ ସ୍ୱାମୀ ଅନୁଭବଙ୍କ ନାଁରେ ସଂଗୀନ ଅଭିଯୋଗ କରିଛନ୍ତି ବର୍ଷା । ୮ ପୃଷ୍ଠା ସମ୍ବଳିତ ପିଟିସନରେ ବହୁ ଚାଂଚଲ୍ୟକର ତଥ୍ୟ ସେ ଦେଇଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ୦୮.୦୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା । ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ବିଭିନ୍ନ ପ୍ରକାର ହରକତ କରିଥିଲେ । ବାହା ହେବା ପାଇଁ ରାଜି ନହେଲେ ଆତ୍ମହତ୍ୟା କରିଦେବେ ବୋଲି କହୁଥିଲେ ଅନୁଭବ । ଏମିତିକି ହାତ କାଟିଦେବା, ଛୁରୀରେ ଛାତି କାଟି ରକ୍ତ ବୁହାଉଥିଲେ । ଅନୁଭବଙ୍କର ଏଭଳି ହରକତ ଦେଖି ବର୍ଷାଙ୍କ ମା ବିବାହ ପାଇଁ ରାଜି ହୋଇଥିଲେ । ଶେଷରେ ୦୮.୦୨.୨୦୧୪ରେ ଉଭୟଙ୍କର ଆରେଂଜ ମ୍ୟାରେଜ ହୋଇଥିଲା । ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଉଭୟ ମିଶି ଏକାଧିକ ଫିଲ୍ମରେ ଅଭିନୟ କରିଥିଲେ । ତେବେ ପାରିଶ୍ରମିକ ବାବଦକୁ ବର୍ଷାଙ୍କୁ ଟଙ୍କାଟିଏ ବି ମିଳିନଥିଲା । ଟଙ୍କାଟିଏ ବି ନଦେଇ ଅନୁଭବ ଏମିତି ଅତ୍ୟାଚାର ଆରମ୍ଭ କରିଥିଲେ । ଏହାପରେ ଅନୁଭବଙ୍କର ଅନେକ ମହିଳାଙ୍କ ସହ ସଂପର୍କ ବଢିଥିବା ବର୍ଷା କହିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାରୀଙ୍କ ସହ ତାଙ୍କର ସଂପର୍କ ଗଢିଉଠିଥିଲା । ତାଙ୍କର ବହୁନାରୀ ସଂପର୍କକୁ ଘରଲୋକ ସମର୍ଥନ କରୁଥିବା ବର୍ଷା କହିଛନ୍ତି । ସେ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ମଧ୍ୟ ପିଟିସନରେ ଉଲ୍ଲେଖ ରହିଛି । ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଉଥିବା ବି ଉଲ୍ଲେଖ ରହିଛି । ଏମିତିକି ନିଜ ମଦ୍ୟପ ସାଥୀଙ୍କ ସହ ନିଜ ଘରେ ବି ଅନୁଭବ ମଦ ପିଅନ୍ତି । ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ସାଥୀଙ୍କ ସହ ମଦ ପିଅନ୍ତି । ମଦ ପିଇବାକୁ ବିରୋଧ କଲେ ହାତରେ ଓ ବାଡିରେ ପିଟନ୍ତି ବୋଲି କହିଛନ୍ତି ବର୍ଷା । ତେବେ ପରିବାରର ସମ୍ମାନ ଦୃଷ୍ଟିରୁ ସେ ଚୁପ୍ ରହିଥିବା କହିଛନ୍ତି । ପିଲାଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡାଇ ଯାଆନ୍ତି । ରାତି ତମାମ ମଦ ପିଉଥିବାରୁ ବର୍ଷାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଏମିତିକି ଖାଇବାକୁ ଜଗିରହିଥିବା ବର୍ଷାଙ୍କୁ ବିଳମ୍ବିତ ରାତିରେ ଫେରି ଗାଲିଗୁଳଜ କରନ୍ତି ଅନୁଭବ । ବର୍ଷାଙ୍କ ମା ଓ ଦୁଇ ଭଉଣୀ ଅନେକ ଥର ସମାଧାନ ଉଦ୍ୟମ କରିଛନ୍ତି । ଅନେକ ଥର ଅନୁଭବ ମଦ ଛାଡିଦେବେ କହିଥିଲେ ବି ନିଷ୍ଫଳ ଯାଇଛି । ଲକ ଡାଉନର ଠିକ୍ ପୂର୍ବରୁ ବର୍ଷାଙ୍କୁ ନନେଇ ଅନୁଭବ ଦିଲ୍ଲୀ ପଳାଇଥିଲେ । ଶାଶୁଘରର ସବୁ ଲୋକ ଦିଲ୍ଲୀରେ ଥିବା ବେଳେ ବର୍ଷା ଏକୁଟିଆ ଘରେ ଥିଲେ । କଟକରେ ଶାଶୁଘରେ ବର୍ଷା ଏକା ରହିଯାଇଥିଲେ ବୋଲି ପିଟିସନରେ ଉଲ୍ଲେଖ କରିଛନ୍ତି । ଏକୁଟିଆ ଥିଲେ ବି ଚଳିବା ପାଇଁ କିଛି ଦେଇନଥିବା ବି ପିଟିସନରେ ଉଲ୍ଲେଖ କରିଛନ୍ତି ବର୍ଷା । ମେ ୨୫ରେ ଦିଲ୍ଲୀରୁ ଫେରି ବର୍ଷାଙ୍କୁ ପ୍ରବଳ ଗାଳି ଦେଇଥିଲେ ଅନୁଭବ । ଜୁନ ୭ରେ ଅତ୍ୟାଚାରର ସବୁ ସୀମା ଟପି ଯାଇଥିବା ପିଟିସିନରେ ଉଲ୍ଲେଖ କରାଯାଇଛି । ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଳଜ କରିଥିଲେ । ଜୁନ ୧୧ରେ ତାଙ୍କୁ ଛାଡପତ୍ର ପାଇଁ ବାଧ୍ୟ କରିଥିବା ପିଟିସନରେ ଉଲ୍ଲେଖ ରହିଛି । ଛାଡପତ୍ର ପାଇଁ ରାଜି ନହେଲେ ପରିଣାମ ଭୋଗିବ ବୋଲି ଧମକ ଦେଇଥିଲେ ।