ଭୁବନେଶ୍ବର: ଉତ୍କଳ ଦିବସ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ମାନ୍ୟତା। ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ। ସମୟକ୍ରମେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା। ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଇଆସୁଛି।
ଷୋଡ଼ଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ଓଡ଼ିଶା ରାଜନୈତିକ ବିପର୍ୟ୍ୟୟ ଦେଇ ଗତି କରିଆସୁଥିଲା। ଏହା ସତ୍ତ୍ବେ ଓଡ଼ିଶାର କବି ଓ ଲେଖକଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡ଼ିଆ ଭାଷା-ସଂସ୍କୃତି ଏକ ବିଶାଳ ଭୂଖଣ୍ଡରେ ତିଷ୍ଠି ରହିଥିଲା। କିନ୍ତୁ ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା। ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆ ଜାତି କ୍ରମେ ବହୁ ବାଧାବିଘ୍ନ, ଘଟଣା ଦୁର୍ଘଟଣା ଦେଇ ଗତି କରିଥିଲା। ଓଡ଼ିଶାର ସ୍କୁଲମାନଙ୍କରୁ ଓଡ଼ିଆ ଭାଷା ଉଠାଇଦେଇ ବଙ୍ଗଳା ଭାଷାର ପ୍ରବର୍ତ୍ତନ ଦ୍ବାରା ଓଡ଼ିଶାକୁ ଧୀରେ ଧୀରେ ବଙ୍ଗ ପ୍ରଦେଶରେ ସାମିଲ କରିବାର ବିରାଟ ଚକ୍ରାନ୍ତ ହୋଇଥିଲା। ସେହିପରି ତେଲୁଗୁମାନେ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ମସୁଧା କରିଥିଲେ। ୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ କାର୍ୟ୍ୟ ଓ ଶିକ୍ଷାର ମାଧ୍ୟମ କରାଯାଇଥିଲା। ଏହି ପରିସ୍ଥିତିରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା।
ଏହି ଲକ୍ଷ୍ୟ ହାସଲ ପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା। ଶେଷରେ ଜନ୍ମ ନେଇଥିଲା ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଓଡ଼ିଶା। ଏହା ଆଧୁନିକ ଓଡ଼ିଶା ଇତିହାସର ଅନ୍ୟତମ ଉଲ୍ଲେଖନୀୟ ଘଟଣା। ଓଡ଼ିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ।