– ୬,୬୦୦ କୋଟି ଟଙ୍କା ବିନିଯୋଗ, ୨୦ ହଜାରଙ୍କୁ କର୍ମନିଯୁକ୍ତି
ଭୁବନେଶ୍ୱର: କଟକ ଚୌଦ୍ୱାର ଓ ସମ୍ବଲପୁର ନିଲ୍ ଡୁଙ୍ଗୁରୀରେ ବହୁ ପ୍ରତିକ୍ଷିତ ଶିଳ୍ପ ସମୁହ ପ୍ରତିଷ୍ଠା ହେବ । ୱେଲ୍ସସ୍ପୁନ କମ୍ପାନୀ ତାହା କରିବ । ଏହାଦ୍ୱାରା ୬,୬୦୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ୨୦ ହଜାର ଲୋକ କର୍ମନିଯୁକ୍ତି ପାଇବେ । ଅନ୍ୟପକ୍ଷରେ ଗୋପାଳପୁରରେ ୟୁଟିଲିଟି କରିଡର ପ୍ରତିଷ୍ଠା ହେବ । ଏନେଇ ରାଜ୍ୟ କ୍ୟାବିନେଟ୍ ବଡ଼ ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପିକେ ଜେନା । ସେ କହିଛନ୍ତି ଯେ ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ । ସେହିପରି ଗୋପାଳପୁରରେ ୟୁଟିଲିଟି କରିଡର ଦ୍ୱାରା ସଂପୃକ୍ତ ଅଞ୍ଚଳରେ ସର୍ଭେ, ପମ୍ପ ଆଉସ୍, ଅଗ୍ନୀ ନିର୍ବାପକ ବ୍ୟବସ୍ଥା, ଫ୍ଲାଏ ଉଭର ରାସ୍ତା, ଉଜ୍ଜ୍ୱଳ ଆଲୋକୀକରଣ, ମୂର୍ତ୍ତିକା ସଂରକ୍ଷଣ, ପାଚେରୀ, କେବୁଲ ଆଦି କାର୍ଯ୍ୟ କରାଯିବ । ଏଥିପାଇଁ ୧୨୮.୮୮ କୋଟି ବ୍ୟୟବରାଦ ହୋଇଛି । ୧୮ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଆଉ ୨୦ ମାସ ସଂରକ୍ଷଣ କରାଯିବ ।
ଶ୍ରୀ ଜେନା କହିଛନ୍ତି ଯେ ଆଉ କିଛି ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ଲାଗିଛି । ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ । ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ସଂଶୋଧନ ହେବ । ଏଥିସହ ଏଏସ୍ଏମ୍ଇ ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ସଂଶୋଧନ କରାଯିବ । ଓଡ଼ିଶା ଜିଲ୍ଲା ଦେୱାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ ହେବ । ସେହିପରି ରାଜ୍ୟରେ ନିମ୍ନ ଅଦାଲତରେ ଥିବା ସିରିସ୍ତାଦାର ଅଫିସର ଶଦ୍ଦ ଆଉ ବ୍ୟବହାର ହେବ ନାହିଁ । ଏଣିକି ଉକ୍ତ ପଦବୀ ରୂପାନ୍ତର କରି ଜିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ଶଦ୍ଦ ବ୍ୟବହାର ହେବ । ଏଥିପାଇଁ ଓଡ଼ିଶା ସବଅର୍ଡ଼ିନେଟ୍ କୋର୍ଟ କର୍ମଚାରୀ (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ-୨୦୦୮କୁ ସଂଶୋଧନ କରାଯାଇଛି ।