ନୂଆଦିଲ୍ଲୀ: ଓ୍ୱାଶିଂଟନ୍ ପୋଷ୍ଟର ବଡ଼ ଖୁଲାସା । ଅପରେସନ୍ ସିନ୍ଦୂର ଭାଙ୍ଗିଲା ପାକିସ୍ତାନ ସେନାର ଅଣ୍ଟା। ଭାରତର ସିନ୍ଦୁର ଅପରେସନରେ ପାକିସ୍ତାନର ୬ଟି ଏୟାରଫିଲ୍ଡ୍ ଧ୍ୱଂସ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ପହଲଗାମ୍ ଆକ୍ରମଣର ବଦଲା ନେବା ପାଇଁ ପିଓକେ ଏବଂ ପାକିସ୍ତାନ ଭିତରେ ପଶି ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ଆତଙ୍କୀ ଆଡ୍ଡା ସହିତ ପାକିସ୍ତାନର ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଏନେଇ ବର୍ତ୍ତମାନ ବଡ଼ ଖୁଲାସା କରିଛି ଆମେରିକୀୟ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ ।ଓ୍ୱାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁସାରେ, ଭାରତର ଆକ୍ରମଣରେ ପାକିସ୍ତାନର ଅତି କମ୍ରେ ୬ଟି ଏୟାରବେସର ରନଓ୍ୱେ ଏବଂ କୋଠାବାଡ଼ି ନଷ୍ଟ ହେଇଛି ।
ଦୁଇ ଡର୍ଜନରୁ ଅଧିକ ସାଟେଲାଇଟ୍ ଫଟୋ ସହିତ ଅନେକ ଭିଡିଓର ରିଭ୍ୟୁ କରିବା ପରେ ଏହା ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ପାକିସ୍ତାନୀ ସେନାର ତିନୋଟି ହ୍ୟାଙ୍ଗର, ଦୁଇଟି ରନଓ୍ୱେ ଏବଂ ବାୟୁସେନା ତରଫରୁ ବ୍ୟବହାର କରାଯାଉଥିବା ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଛି । କିଛି ସ୍ଥାନରେ ଭାରତ, ପାକିସ୍ତାନର ୧୦୦ ମାଇଲ୍ ଭିତରେ ପଶି ଆକ୍ରମଣ କରିଛି ବୋଲି ଓ୍ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଦେଇଛି ।ଏହି ଖବରକାଗଜ ଆହୁରି ଦାବି କରିଛି ଯେ, ପରମାଣୁ ଶକ୍ତି ସମ୍ପନ୍ନ ଏହି ଦୁଇଟି ଦେଶ, ପରମାଣୁ ଯୁଦ୍ଧର ବହୁତ ନିକଟତର ହୋଇଯାଇଥିଲେ । ଯାହାକୁ ନେଇ ଆମେରିକା ଚିନ୍ତାରେ ଥିଲା । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ କିନ୍ତୁ, ଦୁଇ ଦେଶ ଯୁଦ୍ଧ ବିରତି ଘୋଷଣା କରିଥିଲେ । କହିରଖୁ କି, ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ସ୍ଥିତି ଭିତରେ ମୋଦୀ ସରକାର ଯୁଦ୍ଧ ବିରତି ଘୋଷଣା କରିଥିଲେ । ଯୁଦ୍ଧ ବିରତି ଘୋଷଣା ପରେ ପାକିସ୍ତାନ ସୀମାରେ କିଛି ବି, ହରକତ୍ କରେ ତେବେ ଭାରତ ପୁଣିଥରେ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।