ଆଜି ବି ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିପାରି ନାହିଁ ପ୍ରଶାସନ
ହଜାର ହଜାର ହେକ୍ଟର ଚାଷଜମି ବାଲିଚର ହେବା, ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ମନୁଷ୍ୟକୃତ
ବିଜେଡି ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲକୁ ମନେ ପକାଉଛନ୍ତି ଲୋକେ
ଲୋକଙ୍କ ସମସ୍ୟାକୁ ନେଇ ପ୍ରଶାସନ ସହ ଆଲୋଚନା କରୁଛନ୍ତି ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଅଭାବରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଘେରରେ ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲା ଥିବାବେଳେ ଲକ୍ଷାଧିକ ଲୋକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଆଜି ବି ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶାସନ ପହଞ୍ଚିପାରି ନଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଉପସଭାପତି ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତି ଟୁକୁନି ସାହୁ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିକ୍ରମ ପଣ୍ଡା, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦିକା ରଞ୍ଜିତା ସାହୁ, ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିଥିଲେ ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ସାରା ବିଶ୍ୱ ପ୍ରଶଂସା କରିଥିଲା । ସରକାର ବିପର୍ଯ୍ୟୟ ପରିଚାଳନାରେ କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ବନ୍ୟା ଯୋଗୁଁ ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ଗଞ୍ଜାମରେ ସ୍ଥିତି ଅନୁଧ୍ୟାନ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଲୋକଙ୍କ ସମସ୍ୟାକୁ ନେଇ ପ୍ରଶାସନ ସହ ବାରମ୍ବାର ଆଲୋଚନା କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ସେ ଅନୁରୋଧ କରିଛନ୍ତି । ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶାସନ ପହଞ୍ଚି ନାହିଁ । ବନ୍ୟା ପରବର୍ତ୍ତୀ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ବନ୍ୟା ଆସିବା ଯୋଗୁଁ ହଜାର ହଜାର ଏକର ଚାଷଜମି ବାଲିଚରରେ ପରିଣତ ହୋଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଅତ୍ୟାବଶ୍ୟକ ସାମଗ୍ରୀ ଓ ରିଲିଫ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ଏହି ବନ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳ ଗୁଡିକ ପ୍ରାୟ ୩୦ ବର୍ଷ ପଛକୁ ଠେଲି ହୋଇଯାଇଛି ।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ଓଡିଶା ପାଇଁ ନୂଆ କଥା ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଅନେକ ବିପର୍ଯ୍ୟୟର ସଠିକ୍ ପରିଚାଳନ କରାଯାଇଛି । ବର୍ତ୍ତମାନର ବିଜେପି ସରକାର ଓ ଜଳ ସମ୍ପଦ ବିଭାଗର ଅବହେଳା ପାଇଁ ଲୋକେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସରକାର ଦୁର୍ବଳ ନଦୀବନ୍ଧ ଗୁଡ଼ିକର ମରାମତି ନ କରିବା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ପରିଚାଳନାରେ ତ୍ରୁଟି ପାଇଁ ଆଜି ଏହି ଜଳ ପ୍ରଳୟ ସୃଷ୍ଟି ହୋଇଛି । ସମ୍ଭାବ୍ୟ ବିପଦକୁ ଆକଳନ କରି ଆଗୁଆ ପଦକ୍ଷେପ ନେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସୂଚନା ନ ଦେଇ ଜଳଭଣ୍ଡାରର ଗେଟ୍ ଖୋଲା ଯିବାରୁ ଜଳର ତୀବ୍ରତା ବ୍ୟାପକ କ୍ଷତି ଘଟାଇ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଚାଷ ଜମି, ଦୋକାନ, ମେଡିକାଲ ତଥା ବାସଗୃହରେ ୭ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହୋଇଥିଲା । ବିଜେଡି ସରକାର ‘ଜିରୋ କାଜୁଆଲିଟି’କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲା ବେଳେ ବିଜେପି ସରକାର ନିଜ ପ୍ରଚାର ଓ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ।
ଶ୍ରୀ ବିକ୍ରମ ପଣ୍ଡା କହିଥିଲେ ଯେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲରୁ ବିଜେପି ସରକାର କିଛି ଶିଖିଲେ ନାହିଁ । ସରକାରଙ୍କ ପ୍ରସ୍ତୁତି ଅଭାବରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ଆସିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମୂଲ୍ୟ ଜୀବନହାନି, ବ୍ୟକ୍ତିଗତ ସମ୍ପତ୍ତି ଓ ଧନଜୀବନର ବ୍ୟାପକ କ୍ଷତି, ଗୋଷ୍ଠୀଗତ ଓ ସାମୁଦାୟିକ ସମ୍ପତ୍ତିର କ୍ଷତି, ସରକାରୀ ସମ୍ପତ୍ତି, ରାସ୍ତାଘାଟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ସାର୍ବଜନୀନ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି । ଉକ୍ତ କ୍ଷୟକ୍ଷତିର ଭରଣା କରିବା ଏବଂ ସ୍ୱାଭାବିକ ଜୀବନଯାତ୍ରାକୁ ଫେରାଇ ଆଣିବା ପାଇଁ ଦୀର୍ଘ ସମୟ ଲାଗିବ । ସଠିକ୍ ଢଙ୍ଗରେ ବନ୍ୟା ପରିଚାଳନ ନ କରି ଲୋକଙ୍କ ନିକଟରେ ମିଛ ବାହାସ୍ଫୋଟ ମାରୁଛନ୍ତି ସରକାର । ବନ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଲେ ନାହିଁ । ଉକ୍ତ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ପ୍ରାୟ ୬ ଲକ୍ଷ ପରିବାରର ପ୍ରଭାବିତ ହୋଇଛନ୍ତି ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ବିପର୍ଯ୍ୟୟ ମୁକାବିଲାରେ ସରକାର ଓ ଜଳ ସମ୍ପଦ ବିଭାଗର ଅପ୍ରସ୍ତୁତି ଯୋଗୁଁ ଆଜି ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ବନ୍ୟା ବିଭୀଷିକା ସୃଷ୍ଟି ହେଲା । ଯାହାଦ୍ୱାରା ସାଧାରଣ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବାତ୍ୟା ପ୍ରଭାବରେ ଅତ୍ୟଧିକ ବର୍ଷା ହେବା ନେଇ ଆଗୁଆ ସୂଚନା ଥିବା ସତ୍ତ୍ୱେ ରାଜ୍ୟ ସରକାର କାହିଁକି ଆଗୁଆ ପଦକ୍ଷେପ ନେଲେ ନାହିଁ ? କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବା ଦେବା ପରିବର୍ତ୍ତେ, ରାଜ୍ୟ ସରକାର ନିଜ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ ରହିଲେ । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମିରେ ବାଲି ମାଡ଼ିଯିବା ଫଳରେ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରର, ଏ ଦୁର୍ଦ୍ଦିନରେ ଲୋକଙ୍କ ପାଇଁ କୌଣସି ଆନ୍ତରିକତା ନାହିଁ । ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ ତୁରନ୍ତ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରନ୍ତୁ ରାଜ୍ୟ ସରକାର । ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ଏହି ବିପର୍ଯ୍ୟୟ ପ୍ରାକୃତିକ ନୁହେଁ ମନୁଷ୍ୟକୃତ । ସରକାର ଓ ଜଳ ସମ୍ପଦ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ଜଳ ପ୍ରଳୟ ସୃଷ୍ଟି ହୋଇଛି । ନଦୀ ମାନଙ୍କରୁ ବେଧଡ଼କ ବାଲି ଉତ୍ତୋଳନ ଯୋଗୁଁ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ଥିଲା ଓ ଅପ୍ରତ୍ୟାଶିତ ବନ୍ୟା ଆସି ସବୁ ଛାରଖାର କରିଦେଲା । ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ସତର୍କ ଗୁରୁତ୍ୱ ନ ଦେଇ ହାଲୁକା ଭାବେ ନେବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଦିନେ ଓଡିଶା ଠାରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ସାରା ବିଶ୍ୱ ତାଲିମ ନେଉଥିବା ବେଳେ ଆଜି ବିଜେପି ସରକାର ପାଇଁ ଓଡ଼ିଶା ନିନ୍ଦିତ ହେଉଛି ।










