18.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଏସ୍‌-୪୦୦ ଡିଲ୍ ସତ୍ତ୍ୱେ ଭାରତ ସମର୍ଥନରେ ଆମେରିକା

ଏସ୍‌-୪୦୦ ଡିଲ୍ ସତ୍ତ୍ୱେ ଭାରତ ସମର୍ଥନରେ ଆମେରିକା

କଡ଼ା ଆମେରିକା କଟକଣାରୁ ମୁକ୍ତହେଲା ଭାରତ
ୱାଶିଂଟନ: ଭାରତ ସପକ୍ଷରେ ଆମେରିକୀୟ ପ୍ରତିନିଧି ସଭା (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟେଟିଭ୍‌) ଏକ ବଡ଼ ନିଷ୍ପତ୍ତି ନେଇଛି । ପ୍ରତିନିଧି ସଭା ନ୍ୟାସ୍‌ନାଲ୍ ଡିଫେନ୍ସ ଅଥରାଜେସନ୍ ଆକ୍ଟ (ଏନ୍‌ଡିଏଏ)ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ଭାରତୀୟ ବଂଶୋଦ୍ଭବ ରୋ ଖାନ୍ନା ଭାରତର ସୁରକ୍ଷାକୁ ଚୀନ୍ ପକ୍ଷରୁ ବିପଦ ଥିବା ଦର୍ଶାଇ ଏନ୍‌ଡିଏଏରେ ସଂଶୋଧନ ପାଇଁ ଦାବି କରିଥିଲେ । ଏହି ସଂଶୋଧନ ଅନୁସାରେ ରୋ ଖାନ୍ନା ‘କାଉଣ୍ଟରିଂ ଆମେରିକାଜ୍ ଆଡ୍‌ଭର୍ସରିଜ୍ ଥ୍ରୁ ସାଙ୍କ୍‌ସନ୍ ଆକ୍ଟ (ସିଏଏଟିଏସ୍‌ଏ)ରେ ଭାରତକୁ କଟକଣା କ୍ଷେତ୍ରରୁ ବାହାରେ ରଖିବାକୁ ପ୍ରସ୍ତାବ ଦେଇଥିଲେ । ସିଏଏଟିଏସ୍‌ଏ ଆଇନ ଅନୁସାରେ ଆମେରିକା ଇରାନ୍‌, ରୁଷ ଏବଂ ଉତ୍ତର କୋରିଆ ବିରୋଧରେ କଟକଣା ଲାଗୁ କରିଥିଲା । ଏହି ଆଇନ ବଳରେ ଆମେରିକା ଏହି ତିନିଦେଶ ସହ ଦ୍ୱିପକ୍ଷୀୟ ବ୍ୟବସାୟ ଉପରେ ରୋକ୍ ଲଗାଇଥିଲା । ଏହାକୁ ୨୦୧୭ ଜୁଲାଇ ୨୭ରେ ପାରିତ କରାଯାଇଥିଲା ।

ରୁଷ୍‌ଠାରୁ ଏସ୍‌-୪୦୦ ସମେତ ବହୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଥିବା କାରଣରୁ ଭାରତ ଉପରେ ସିଏଏଟିଏସ୍‌ଏ ଅନୁସାରେ ଆମେରିକୀୟ କଟକଣା ବିପଦ ଦେଖାଦେଇଥିଲା । ରୋ ଖାନ୍ନା ଭାରତ ଓ ଆମେରିକା ମଧ୍ୟରେ ଗଭୀର ହେଉଥିବା ପ୍ରତିରକ୍ଷା ସମ୍ବନ୍ଧର ଦ୍ୱାହିଦେଇ ସଂଶୋଧନ ପ୍ରସ୍ତାବ ରଖିଥିଲେ, ଯାହାକୁ ସବୁଜ ସଙ୍କେତ ମିଳିଛି । ପ୍ରତିନିଧି ସଭାରେ ଏହା ଧ୍ୱନିମତରେ ପାସ୍ ହୋଇଛି । ତେବେ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇପାରି ନାହିଁ । ଆଇନରେ ପରିଣତ ହେବାକୁ ହେଲେ ଏହା ଉଭୟ ଗୃହରେ ପାସ୍ ହେବା ଜରୁରୀ । ଖାନ୍ନ ସଂଶୋଧନ ପ୍ରସ୍ତାବ ଆଗତକରି କହିଥିଲେ, ଚୀନ୍ ପକ୍ଷରୁ ବୃଦ୍ଧି ପାଉଥିବା ଆକ୍ରମଣାତ୍ମକତା ଦୃଷ୍ଟିରୁ ଆମେରିକାକୁ ଭାରତ ସହିତ ଛିଡ଼ା ହେବା ଆବଶ୍ୟକ । ଇଣ୍ଡିଆ କକସ୍‌ର ଭାଇସ୍ ଚେୟାର୍‌ମ୍ୟାନ୍ ହୋଇଥିବା ଦୃଷ୍ଟିରୁ ମୁଁ ଦୁଇ ଦେଶ ମଧ୍ୟରେ ବୁଝାମଣାକୁ ଶକ୍ତିଶାଳୀ କରିବା ଦିଗରେ କାମ କରୁଛି ।

ଭାରତ-ଚୀନ୍ ସୀମାରେ ଭାରତ ନିଜର ସୁରକ୍ଷା କରିପାରୁ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି । ପ୍ରସ୍ତାବରେ ସଂଶୋଧନ ଦାବିକରି ରୋ ଖାନ୍ନା ଚୀନ୍‌ଠାରୁ ଭାରତର ସୁରକ୍ଷାକୁ ଦର୍ଶାଇଥିଲେ । ଭାରତ ପକ୍ଷରେ ରୋ ଖାନ୍ନାଙ୍କ ଏହି ପଦକ୍ଷେପକୁ ଭାରତ, ଆମେରିକା ରଣନୀତିକ ପାର୍ଟନରଶିପ୍‌କୁ ଆମେରିକାର ରାଜନୈତିକ ସମର୍ଥନ ଭାବେ ଦେଖାଯାଉଛି । ୟୁକ୍ରେନ୍ ଯୁଦ୍ଧ ପରେ ରୁଷ୍‌କୁ ଆର୍ଥିକ ସ୍ତରରେ ଶକ୍ତ ଧକ୍କା ଦେବା ଉଦ୍ଦେଶ୍ୟରେ ଡେମୋକ୍ରାଟ୍ସ ଏବଂ ରିପବ୍ଲିକାନ୍‌ର କିଛି ବର୍ଗ ସିଏଏଟିଏସ୍‌ଏ ବ୍ୟବହାରର ଯୋଜନା କରିଥିଲେ । ସୂଚନାଯୋଗ୍ୟ, ରୁଷ୍‌ଠାରୁ ଭାରତ ଏସ୍‌-୪୦୦ ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିଥିଲା ।

ଏହାପରେ ସିଏଏଟିଏସ୍‌ଏର ଏହି ଆକ୍ଟ ଆଧାରରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯାଉଥିଲା । ୨୦୧୮ ଅକ୍ଟୋବରରେ ଭାରତ ପାଞ୍ଚ ବିଲିୟନ୍ ଡଲାରରେ ଏସ୍‌-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ୍ କିଣିଥିଲା । ସେତେବେଳେ ଟ୍ରମ୍ପ୍ ପ୍ରଶାସନ ଚେତାବନୀ ଦେଇଥିଲେ ଯେ ଏହି ସଉଦାକୁ ନେଇ ଭାରତକୁ ଆମେରିକୀୟ କଟକଣାର ସାମ୍ନା କରିବାକୁ ପଡ଼ିପାରେ । ଚଳିତବର୍ଷ ପ୍ରାରମ୍ଭରେ ଭାରତ ଉପରେ ପ୍ରତିବନ୍ଧ ଲାଗୁ ପାଇଁ ଦାବି ଉଠିଥିଲା । ଦାବି ଜୋର୍ ଧରିବା ପରେ ରିପବ୍ଲିକାନ୍ ପାର୍ଟିର ସାଂସଦ ଟେଡ୍ କ୍ରୁଜ୍ କହିଥିଲେ ଯେ ଏହି ସଉଦାକୁ ନେଇ ଭାରତ ଉପରେ କୌଣସି ପ୍ରକାର କଟକଣା ଲାଗୁ କରିବା ମୂର୍ଖତା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking