ଭୁବନେଶ୍ୱର: ଉର୍ମୀ ହୋଟେଲ ବୋମା ମାଡ଼ ଘଟଣାର ତଦନ୍ତ ପାଇଁ ଆଜି ପୁଲସ ୨ଟି ଟିମ୍ ଗଠନ କରିଛି । ଏହି ଟିମ୍ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଧରିବ ବୋଲି ପୁଲିସ ଆଶା ବାନ୍ଧିଛି । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏଭଳି ବୋମା ମାଡ଼ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ହୋଟେଲ ଗତକାଲି କିଛି କର୍ମଚାରୀଙ୍କୁ ଜେରା କରାଯାଇଥିଲା ବେଳେ ଆଜି ମଧ୍ୟ କିଛି ହୋଟେଲ କର୍ମଚାରୀଙ୍କୁ ଜେରା କରାଯାଇଛି । ଜେରା ବେଳେ ବିଭିନ୍ନ କଥା ସାମ୍ନାକୁ ଆସିଛି ।
ତେବେ ଏକ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ବିଭିନ୍ନ ହୋଟେଲ କର୍ମଚାରୀଙ୍କ ବୟାନରୁ ପୁଲିସ ଅନୁମାନ କରୁଛି । ହୋଟେଲ ମାଲିକଙ୍କୁ ଡରାଇବା ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ଦୁବୃତ୍ତ । ବୋମାକୁ ଜାଣିଶୁଣୀ ଦୁର୍ବଳ କରାଯାଇଛି ଯେପରି କାହାର କିଛି କ୍ଷତି ହେବ ନାହିଁ ଏବଂ ହୋଟେଲ ମାଲିକ ମଧ୍ୟ ଡରିବେ । ତେବେ ରସୁଲଗଡ଼ ଓଭରବ୍ରିଜ ଉପରେ ଦୁଇଟି ବାଇକରେ ଆସି ଦୁର୍ବୁତ୍ତ ବୋମା ମାଡ଼ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ ବୋମା ଆତଙ୍କରେ ରାଜଧାନୀ ପୁଣି ଥରେ ଥରି ଉଠିଛି । ଏଭଳି ଲାଗୁଛି କି ବୋମାର ଆବାଜ୍ ମାସକୁ ଥରେ ଶୁଣାଯିବା ନେଇ ଏକପ୍ରକାର ଥୟ ହୋଇଗଲାଣି । ଗତକାଲି ରାତିରେ ରସୁଲଗଡ଼ ସ୍ଥିତ ଉର୍ମୀ ହୋଟେଲ ୨୦୨ ନମ୍ବର ରୁମ୍ରେ ବୋମାମାଡ ହୋଇଥିଲା । ଦୁବୃତମାନେ ରସୁଲଗଡ଼ ଫ୍ଲାଏ ଓଭର ଉପରୁ ବୋମା ଫୋପାଡିଥିଲେ । ହୋଟେଲ ଭିତରକୁ ଲକ୍ଷ କରାଯାଇ ୨ ଟି ବୋମା ଫିଙ୍ଗାଯାଇଥିଲା । ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା ବେଳେ ଅନ୍ୟଟି ଅଫୁଟା ରହିଥିଲା ।