ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଜେପି ବିପୁଳ ବିଜୟ ହାସଲ କରିଛି । ଏହାସହ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନିର୍ବାଚନ ଫଳଫଳାକୁ ନେଇ ବଡ଼ ବଡ଼ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇତିମଧ୍ୟରେ ମୁଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବଙ୍କ ବୟାନ ମଧ୍ୟ ଆସିଛି । ଅପର୍ଣ୍ଣା ଯାଦବ କହିଛନ୍ତି ଯେ, ଦୃଷ୍ଟୀକରଣକୁ ଗୁରୁତ୍ୱ ଦେଇ ରାଜନୀତି କରୁଥିବା ଲୋକଙ୍କୁ ନିର୍ବାଚନରେ ମୁହଁତୋଡ଼ ଜବାବ ମିଳିଛି । ମୋ ବିଶ୍ୱାସକୁ ପ୍ରଚଣ୍ଡ ବିଜୟ ମିଳିଛି । ଆଜି ମୁଁ କେବଳ ଗୋଟିଏ ନାରା ଦେବି ହିନ୍ଦୁ, ମୁସଲମାନ ଓ ଶିଖ ସମସ୍ତେ ହେଉଛନ୍ତି ବିଜେପି ।
ଆଜିର ଫଳାଫଳ ଦେଖିବା ପରେ ଏହା ସତ ହେବ ବୋଲି ସ୍ପଷ୍ଟ ହୋଇଯାଇଛି । ଗତ ୩୭ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି । ୪ଜଣ ମୁଖ୍ୟମନ୍ତ୍ରୀ ଅତୀତରେ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ପାଞ୍ଚ ବର୍ଷ କ୍ଷମତାରେ ରହିପାରିନାହାନ୍ତି । ୧୯୮୫ରେ ଶେଷ ଥର ପାଇଁ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦବୀ ଜିତିବାରେ ସଫଳ ହୋଇଥିଲେ ନାରାୟଣ ଦତ୍ତ ତିୱାରୀ । ୧୯୮୫ ପୂର୍ବରୁ ଲଗାତାର କ୍ଷମତାକୁ ଆସିଥିବା ଅନ୍ୟ ୟୁପି ମୁଖ୍ୟମନ୍ତ୍ରୀମାନେ ହେଲେ ୧୯୫୭ରେ ସମ୍ପୂର୍ଣ୍ଣାନନ୍ଦ, ୧୯୬୨ମସିହାରେ ଚନ୍ଦ୍ରଭାନୁ ଗୁପ୍ତା ଏବଂ ୧୯୭୪ ରେ ହେମବତୀ ନନ୍ଦନ ବହୁଗୁଣା । ତେବେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ରାଜ୍ୟରେ ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ତୃତୀୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।