28.7 C
Bhubaneswar
Friday, April 10, 2026
Homeଦେଶ ବିଦେଶପଦାରେ ପଡ଼ିଲା ୟୁପି ବିଜେପିର ଦଳୀୟ କନ୍ଦଳ; ମଉକାର ଫାଇଦା ଉଠାଇବା ଲକ୍ଷ୍ୟରେ ସମାଜବାଦୀ ପାର୍ଟି

ପଦାରେ ପଡ଼ିଲା ୟୁପି ବିଜେପିର ଦଳୀୟ କନ୍ଦଳ; ମଉକାର ଫାଇଦା ଉଠାଇବା ଲକ୍ଷ୍ୟରେ ସମାଜବାଦୀ ପାର୍ଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ଏବେ ବଡ଼ ଧରଣର ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିଛି । ଗୋଟିଏ ପଟେ ଯେଉଁଠି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସମ୍ପର୍କରେ ସୂଚନା ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି, ଅନ୍ୟପକ୍ଷେ ବିରୋଧୀ ଗୋଷ୍ଠୀ ଏବେ ପ୍ରଦେଶ ବିଜେପିର ଏପ୍ରକାର ଗୋଳିଆ ପରିସ୍ଥିତିରୁ ଫାଇଦା ଉଠାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ରିପୋର୍ଟ ଅନୁସାରେ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଏକ ପୋଷ୍ଟ ଏବେ ସାମ୍ନାକୁ ଆସିଛି । ଏଥିରେ ସେ ବିଜେପିକୁ କଟାକ୍ଷ କରି “ମୌସୁମୀ ଅଫର: ୧୦୦ ଆଣ, ସରକାର ଗଢ଼” ବୋଲି ଲେଖିଥିବାର ଦେଖିବାକୁ ମିଳିଛି । ଏହାର ଅର୍ଥ ଅଖିଳେଶ ଏବେ ବିଜେପିରେ ଥିବା ଅସନ୍ତୁଷ୍ଟ ନେତାମାନଙ୍କୁ ଖୁଲମ୍‌ଖୁଲ୍ଲା ତାଙ୍କ ଦଳ ସମାଜବାଦୀ ପାର୍ଟିରେ ଯୋଗଦେବାକୁ ଏବଂ ସରକାର ଗଠନରେ ସହଯୋଗ କରିବାକୁ ଆମନ୍ତ୍ରଣ କରୁଛନ୍ତି । ଏପରିକି ଅଖିଳେଶ ବିଜେପିର ଏହି ନେତାମାନଙ୍କୁ ମନ୍ତ୍ରୀପଦର ଲୋଭ ମଧ୍ୟ ଦେଖାଇଥିବା ତାଙ୍କ ଧାଡିକିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡିଛି । ଅନ୍ୟପକ୍ଷେ ସୋସିଆଲ ମିଡିଆ ଏକ୍ସ’ରେ ସେ କରିଥିବା ପୋଷ୍ଟକୁ ‘ବିଜେପିର ନେତାଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟ’ ବୋଲି ମଧ୍ୟ ତାଙ୍କ ଦଳ (ଏସ୍‌ପି)ର ଜଣେ ବରିଷ୍ଠ ନେତା ସ୍ପଷ୍ଟ କରିଛନ୍ତି ।
୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ଅପେକ୍ଷାକୃତ କମ୍ ଆସନ ପାଇବାକୁ ନେଇ ଏବେ ରୀତିମତ ଚର୍ଚ୍ଚା ଚାଲିଛି । ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଓ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କ ଭିତରେ ବିବାଦ ମଧ୍ୟ ସାମ୍ନାକୁ ଆସିଛି । ଫଳରେ ପ୍ରଦେଶ ବିଜେପିରେ ଏବେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି । ପରିସ୍ଥିତିର ଫାଇଦା ଉଠାଇବା ଲକ୍ଷ୍ୟରେ ଅଖିଳେଶ ମଧ୍ୟ ଏପ୍ରକାର ଏକ ପୋଷ୍ଟ ‘ମୌସୁମୀ ଅଫର’ ଦେଇଛନ୍ତି ।
ସୂଚନାଯୋଗ୍ୟ, ଜୁଲାଇ ୧୪ରେ ବିଜେପିର କାର୍ଯ୍ୟକାରିଣୀ କମିଟି ବୈଠକ ବସିଥିଲା । ବୈଠକରେ ଯୋଗୀ ଆଦିତ୍ୟନାଥ ଓ ମୌର୍ଯ୍ୟଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା । ଚର୍ଚ୍ଚା ହେଉଛି ଯେ କାର୍ଯ୍ୟକାରିଣୀ ବୈଠକରେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଏକାଧିକ ବିଜେପି ନେତାଙ୍କ ସମେତ ଅନେକ ଦଳୀୟ ନେତା ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟ କରିବା ଶୈଳୀକୁ ବିରୋଧ କରିଥିଲେ । ତେବେ ଏସବୁ କାରଣ ଯୋଗୁ ଗତ ବୁଧବାର ଏହି ବିବାଦ ଆହୁରି ତୀବ୍ର ହୋଇଥିଲା । ମୌର୍ଯ୍ୟ ଏକ୍ସରେ ପୋଷ୍ଟ କରିଥିଲେ ଯେ “ସରକାର ତୁଳନାରେ ଦଳ ହେଉଛି ବଡ଼ । ମନ୍ତ୍ରୀ, ବିଧାୟକ ଓ ଜନପ୍ରତିନିଧିମାନେ ଦଳୀୟ କର୍ମୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ଦରକାର ।” ଦିଲ୍ଲୀରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏପରି ବୟାନ ଦେଇଥିଲେ । ଏହା ପରେ ଯୋଗୀ ମଧ୍ୟ ସର୍ବସାଧାରଣରେ ମାତ୍ରାଧିକ ଆତ୍ମବିଶ୍ୱାସ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିବା ବୋଲି କହିଥିଲେ । ତାଙ୍କର ଏପ୍ରକାର ମନ୍ତବ୍ୟ ପରୋକ୍ଷରେ ମୌର୍ଯ୍ୟଙ୍କ ଉଦ୍ଦେଶ୍ୟରେ ହିଁ ଥିଲା ବୋଲି ସ୍ପଷ୍ଟ ପ୍ରତୀତ ହୋଇଥିଲା । ତେବେ ପ୍ରଦେଶ ବିଜେପିର ଦୁଇ ବଡ଼ ନେତାଙ୍କ ଏପ୍ରକାର ବାକ୍‌ବିତଣ୍ଡା ମଧ୍ୟରେ ଆଜି ଅଖିଲେଶ ବିଜେପିକୁ କଟାକ୍ଷ କରି ମୌସୁମୀ ଅଫର ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking