29.1 C
Bhubaneswar
Wednesday, September 30, 2026
Homeଓଡିଶାବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜୀବ ଭବନସ୍ଥିତ SEOCଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସୁବିସ୍ତୃତ ଆଲୋଚନା କରି ଲଗାଣ ବର୍ଷା ତଥା ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି, ଚଳିତ ବର୍ଷ ଦୀର୍ଘ ସମୟ ଧରି ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲା ଊଣାଅଧିକେ ପ୍ରଭାବିତ ହୋଇଥିବା ବେଳେ ନିକଟରେ ଗଭୀର ଅବପାତଜନିତ ବର୍ଷା ପ୍ରଭାବରେ ଦକ୍ଷିଣ ଓଡ଼ିଶା ମଧ୍ଯ ବ୍ୟାପକ ଭାବେ ପ୍ରଭାବିତ ହୋଇଛି l ଚଳିତ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ପେଶାଲ୍ ରିଲିଫ୍ କମିଶନରଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ବାବଦକୁ ୨୪୧.୩୭ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରଯାଇଥିବା ବେଳେ ନିକଟରେ ନବରଙ୍ଗପୁର ଜିଲ୍ଲାକୁ ୫ କୋଟି, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ୨ କୋଟି ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି l

ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୧୬.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୧୧.୨୧ କୋଟି ଟଙ୍କା ଆବଣ୍ଟନ ଶେଷ ହୋଇଛି l ଯାଜପୁର ଜିଲ୍ଲା ପାଇଁ ୫୨.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୩୩.୮୦ କୋଟି ଟଙ୍କା ବଣ୍ଟନ ସମାପ୍ତ ହୋଇଛି l ସେହିପରି ଭଦ୍ରକ ଜିଲ୍ଲାକୁ ୬୪.୫୪ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଥିଲା ବେଳେ ୪୩.୨୮ କୋଟି ଟଙ୍କା ବ୍ୟୟ ହୋଇ ସାରିଛି l ବାଲେଶ୍ୱର ଜିଲ୍ଲା ପାଇଁ ୨୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୫.୯୪ କୋଟି ଟଙ୍କା ଇତିମଧ୍ୟରେ କ୍ଷତିପୂରଣ ବାବଦକୁ ବ୍ୟୟ ହୋଇ ସାରିଛି l ବାରମ୍ବାର ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଏବଂ ବାଧାପ୍ରାପ୍ତ ସୁଦ୍ଧା କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରାଯାଇଛି ଏବଂ ଆଗାମୀ ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ପ୍ରଦାନ ସମାପ୍ତ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି l ବୈଠକରେ ଚଳିତ ବର୍ଷର ଦୀର୍ଘ ଦିନ ଧରି ବର୍ଷା ଏବଂ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନଙ୍କର ନିଷ୍ଠାପର ଦାୟିତ୍ଵ ସମ୍ପାଦନକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିପର୍ଯ୍ୟୟ ପ୍ରତିରୋଧକ ଭିତ୍ତିଭୂମିର ସୁଦୃଢୀକରଣ ଦିଗରେ ସମସ୍ତ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଏବଂ ବିଷୟ ବିଶେଷଜ୍ଞ ତଥା ଅନୁଷ୍ଠାନମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ l ବୈଠକରେ ସ୍ପେଶାଲ୍ ରିଲିଫ୍ କମିଶନର୍ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଦକ୍ଷିଣାଞ୍ଚଳ ଆରଡିସି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସଆରସି ଶ୍ରୀ ପଦ୍ମନାଭ ବେହେରା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲା ବେଳେ ଆଭାସୀ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲାପାଳବୃନ୍ଦ ଯୋଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking