ନୂଆଦିଲ୍ଲୀ: କୁଖ୍ୟାତ ଲଶ୍ମର ଆତଙ୍କବାଦୀ ମୁସା ଓରଫ୍ ଆସିଫ୍ ଫୌଜି ସୁରକ୍ଷାବାହିନୀର ଏନକାଉଣ୍ଟରରେ ନିହତ ହୋଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାବାହିନୀର ଯବାନମାନେ ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲା ଖାନସାହିବ ଥାନା ଅନ୍ତର୍ଗତ ଗୁରୱତକଲାନରେ ଏକ ମିଳିତ ଅପରେସନ୍ କରିଥିଲେ । ଏଥିରେ ଲଶ୍କର-ଏ-ତୈୟବାର ବରିଷ୍ଠ କମାଣ୍ଡର ମୂସା ନିହତ ହୋଇଛି । ସୁରକ୍ଷାବାହିନୀ ଦୀର୍ଘଦିନ ଧରି ମୁସାକୁ ସନ୍ଧାନ କରୁଥିଲା । ନିକଟରେ ତା’ର ଗତିବିଧି ଏବଂ ଉପସ୍ଥିତି ସମ୍ପର୍କରେ ବୈଷୟିକ ଏବଂ ମାନବୀୟ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତା’କୁ ମାରିବା ଲାଗି ବିଭିନ୍ନ ସୁରକ୍ଷା ଏଜେନ୍ସି ମିଶି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ । ଭାରତୀୟ ସୁରକ୍ଷାବାହିନୀ ଦ୍ୱାରା ମୁସାକୁ ମାରିବା ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଲଶ୍କର ନେଟୱର୍କ ପାଇଁ ବଡ଼ ଧକ୍କା ବୋଲି କୁହାଯାଉଛି । ମୁସା ନିହତ ହେବା ସହିତ ୨୦୨୨ ଠାରୁ ଜମ୍ମୁ ଓ କଶ୍ମୀରରେ ସକ୍ରିୟ ଅନେକ ବଡ଼ ଆକ୍ରମଣ ପାଇଁ ଦାୟୀ ଏଲଇଟିର ୪ କୁଖ୍ୟାତ ଆତଙ୍କବାଦୀଙ୍କ ଗୋଷ୍ଠୀ ସମ୍ପୂର୍ଣ୍ଣ ନିପାତ ହୋଇଛି । ଏହି ଗୋଷ୍ଠୀ ହଲାନ୍ ଆକ୍ରମଣ (ଅଗଷ୍ଟ ୨୦୨୩), ଡିକେଜି ଆକ୍ରମଣ (ଡିସେମ୍ବର ୨୦୨୩), କଣ୍ଡି ଆକ୍ରମଣ (ମଇ ୨୦୨୩), ଶାହସୀତାର ଆକ୍ରମଣ (ମଇ ୨୦୨୪) ଏବଂ ବୈସରଣ ଆକ୍ରମଣ (ଏପ୍ରିଲ ୨୦୨୫)ରେ ସମ୍ପୃକ୍ତ ରହିଥିଲା । ଏହି ଦଳର ବାକି ତିନି ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଭିନ୍ନ ଭିନ୍ନ ଆକ୍ରମଣରେ ନିପାତ କରିଥିଲା। ୩ ଡିସେମ୍ବର ୨୦୨୪ରେ ଦାଚୀଗାମଠାରେ ଜୁନୈଦ ଭଟ, ୨୮ ଜୁଲାଇ ୨୦୨୫ରେ ଅପରେସନ ମହାଦେବରେ ସୁଲେମାନ୍ ଏବଂ ଅପରେସନ ଅସଧର ଜରିଆରେ ୪ ସେପ୍ଟେମ୍ବର ୨୦୨୬ରେ ୟାସିର୍ ନିହତ ହୋଇଥିଲା । ମଇ ୨୦୨୬ରେ ‘ଅପରେସନ ଶେରାବାଲି’ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ସମୟ ଧରି ଜାରି ରହିଥିଲା। ଏହି ଅପରେସନର ଅଂଶବିଶେଷ ଭାବେ ମୁସାକୁ ମାରିବା ଲାଗି ଏନକାଉଣ୍ଟର କରାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ପୁଲିସ, ଭାରତୀୟ ସେନା ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ମଧ୍ୟରେ ତାଳମେଳ ପ୍ରତିଷ୍ଠା କରାଯାଇ ମିଳିତ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ସ୍ୱତନ୍ତ୍ର ଆତଙ୍କବାଦ ନିରୋଧୀ ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ଏହାର ସକାରାତ୍ମକ ଫଳ ମିଳୁଛି ।










