୩୮କୋଟି ଅସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ଓ ୨୭କୋଟି ଅଣସଂଗଠିତ ଶ୍ରମିକମାନଙ୍କୁ ନୂଆ ପରିଚୟ
ଓଡ଼ିଶାର ପ୍ରତ୍ୟେକ ୧୦ଜଣ ଶ୍ରମିକଙ୍କ ମଧ୍ୟରୁ ୯ଜଣ ଅସଗଂଠିତ, ୮୮.୩୫ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜ ନାମ ପଞ୍ଜୀକୃତ କରିଛନ୍ତି
ଓଡ଼ିଶାର ୯୪% ଜଣ ମାସିକ ୧୦ହଜାର ଟଙ୍କାରୁ କମ୍ ଆୟରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି
ରାଜ୍ୟରେ ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୫୮% ହେଉଛନ୍ତି ୧୮ ରୁ ୪୦ବର୍ଷ ବୟସ
୩୯.୫% ପଛୁଆ ବର୍ଗ, ୩୫% ଆଦିବାସୀ ଓ ଦଳୀତ ବର୍ଗ ଓ ୨୪% ସାଧାରଣ ବର୍ଗ, ୨୧ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଖାତା ନାହିଁ
ମନରେଗା ଯୋଜନାର ମଣିଷ ବଦଳରେ ମେସିନ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର
୨୨ବର୍ଷ ଶାସନରେ ଲୋକଙ୍କୁ କର୍ମ ନିଯୁକ୍ତି ଦେବାରେ ଓ ଭିତିଭୂମିର ବିକାଶ କରିବାରେ ସମ୍ପୂର୍ଣ୍ଣ ବିଫଳ ଶାସକ ବିଜେଡି
କରୋନା ସମୟରେ ରାଜ୍ୟକୁ ଆସିଥିବା ପ୍ରବାସୀ ଓଡିଆ ଶ୍ରମିକ ତାଲିକା ପ୍ରସ୍ତୁତି ନକରିପାରିବା ରାଜ୍ୟ ସରକାରଙ୍କ ଅତ୍ୟନ୍ତ ଖାମଖିଆଲ ମନୋଭାବ
ଓଡିଆଙ୍କୁ ଗରିବ ରଖି ଭୋଟ ହାତେଇ କ୍ଷମତାରେ ରହିବାର କାର୍ଯ୍ୟ କରୁଛି ଶାସକ ବିଜେଡି
ଭୁବନେଶ୍ୱର : ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଜୀବୀମାନଙ୍କର ସାମର୍ଥ୍ୟ ଆଜି ନୂତନ ଭାରତର ଆଧାରସ୍ତମ୍ଭ ପାଲଟିଛି । ସାଧାରଣ ଲୋକଙ୍କ ସୁରକ୍ଷାରେ ହିଁ ଦେଶର ମଜବୁତ ଭବିଷ୍ୟତ ଲୁଚି ରହିଛି । ଦେଶରେ ଅଣସଂଗଠିତ ଶ୍ରମିକମାନଙ୍କ ସୁବିଧା, ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହ ନିଜ ରାଜ୍ୟରେ ସ୍ୱାବଲମ୍ବି ହୋଇପାରିବେ ସେଥିନେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ୮ଟି ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡ଼ିକ ହେଲା-ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, କୋଠାବାଡି ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ପ୍ରଧାନମନ୍ତ୍ରୀ ମୋଦୀ କରୋନା ସମୟରେ ରାଜ୍ୟବାସୀଙ୍କୁ ୪୬୨୧ଶ୍ରମିକ ସ୍ପେଶାଲ ଟ୍ରେନ ସହ ୫କିଲୋ ମାଗଣା ରାସନ ଯାହା ସାଧାରଣ ଗରିବ ଲୋକେ ବଂଚିବାର ରାହା ଦେଖାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମଯୋଗୀ ମାନଧନ ଯୋଜନାରେ ପେନସନ ସମ୍ମାନ ମିଳୁଛି । ଏହି ଯୋଜନାରେ ମାସକୁ ୩୦୦୦ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି । ଏହି ଯୋଜନାରେ ଏବେ ସୁଦ୍ଧା ୪୬.୫ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଅଣସଂଗଠିତ ଶ୍ରମିକମାନଙ୍କୁ ମିଳିଛି କୌଶଳର ଶକ୍ତି, ପୂର୍ବରୁ ନେଇଥିବା ପ୍ରଶିକ୍ଷଣକୁ ମଧ୍ୟ ମିଳୁଛି ମାନ୍ୟତା । ମୋଦୀ ୩୦ଲକ୍ଷ ଉଠାଦୋକାନୀଙ୍କୁ ୩.୨ହଜାର କୋଟି ଟଙ୍କାର ଋଣ ଯୋଗାଇଛନ୍ତି । ୨୯ଟି ଶ୍ରମ ଆଇନର ସରଳୀକରଣ ସହିତ ୪ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରାଯାଇଛି । ୩୮କୋଟି ଅସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି, ଜାତୀୟ ଡାଟାବେସ ଇ-ଶ୍ରମ ସହ ଯୋଡି ହୋଇଥିବା ୨୭କୋଟି ଅଣସଂଗଠିତ ଶ୍ରମିକମାନଙ୍କୁ ମିଳିଛି ଏକ ନୂଆ ପରିଚୟ । ଏକ ଦେଶ ଏକ ରାସନ କାର୍ଡ ଅଧୀନରେ ସାରା ଦେଶର ୫ଲକ୍ଷ ରାସନ କେନ୍ଦ୍ର ମଧ୍ୟରୁ ଯେକୌଣସି କେନ୍ଦ୍ରରୁ ରାସନ ନେବାର ସୁବିଧା କରାଯାଇଛି । ଯଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦି ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଅନ୍ୟ ପଟେ ଅପାରଗ ରାଜ୍ୟ ସରକାର ଓଡ଼ିଶାରେ କେତେ ଦାଦନ ଶ୍ରମିକ ଅଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବା ଓ ପରିଚୟ ପତ୍ର ଦେବାରେ ବିଫଳ ହୋଇଛନ୍ତି । ବିଡମ୍ବନାର ବିଷୟ ଏହି କି ଯେ, ଅଣସଂଗଠିତ ଶ୍ରମିକ ସଠିକ ତାଲିକା ପ୍ରସ୍ତୁତ କରିବା ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି ରାଜ୍ୟ ସରକାର । ନିଜର ଅପାରଗତା ଧରା ପଡ଼ିଯିବା ଭୟରେ ହୁଏତ ସଠିକ ତାଲିକା ପ୍ରସ୍ତୁତ କରୁନାହାନ୍ତି ରାଜ୍ୟ ସରକାର । ଆଜି ବି ପଶ୍ଚିମ ଓଡ଼ିଶାରେ ଅନେକ ଗାଁ ପୁରୁଷଶୂନ୍ୟ ଗାଁରେ ପରିଣତ ହୋଇଛି । ପେଟ ପୋଷିବା ପାଇଁ ରାଜ୍ୟରେ କାମ ନପାଉଥିବା କାରଣରୁ ବିକଳ ହୋଇ ଘରେ ତାଲା ପକାଇ ଦାଦନ ଖଟିବାକୁ ଯାଉଛନ୍ତି ଅନ୍ୟ ରାଜ୍ୟକୁ । ଓଡ଼ିଶାର ପ୍ରତ୍ୟେକ ୧୦ଜଣ ଶ୍ରମିକଙ୍କ ମଧ୍ୟରୁ ୯ଜଣ ଅସଗଂଠିତ କ୍ଷେତ୍ରରେ କାମ କରିଥାନ୍ତି । ୮୮.୩୫ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜ ନିଜ ନାମ ପଞ୍ଜୀକୃତ କରିଛନ୍ତି, ଯାହାକି ସମଗ୍ର ଦେଶରେ ସର୍ବାଧିକ । ଓଡ଼ିଶାର ଅଶସଂଗଠିତ ଶ୍ରମ ଶକ୍ତିର ୯୪% ଜଣ ମାସିକ ୧୦ହଜାର ଟଙ୍କାରୁ କମ୍ ଆୟରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଏ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ତଳଆଡୁ ଦ୍ୱିତୀୟ । ରାଜ୍ୟରେ ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୫୮% ହେଉଛନ୍ତି ୧୮ ରୁ ୪୦ବର୍ଷ ବୟସର ଯୁବକ । ସର୍ବାଧିକ ୩୯.୫% ହେଉଛନ୍ତି ପଛୁଆ ବର୍ଗର । ସେହିପରି ୩୫% ହେଉଛନ୍ତି ଆଦିବାସୀ ଓ ଦଳୀତ ବର୍ଗର ହୋଇଥିବାବେଳେ ୨୪% ସାଧାରଣ ବର୍ଗର । ୨୪% ଅଣସଂଗଠିତ ଶ୍ରମିକଙ୍କର ବା ୨୧ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଖାତା ନାହିଁ । ଏଥିରୁ ଅଣସଂଗଠିତ ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
କରୋନା ସମୟରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟକୁ କେନ୍ଦ୍ର ସରକାର ଅପର୍ଯ୍ୟାପ୍ତ ଅର୍ଥ ଦେବା ସାଙ୍ଗକୁ ମଜୁରୀର ପରିମାଣକୁ ବୃଦ୍ଧି କରିଥିଲେ । ଦୁର୍ଭାଗ୍ୟଜନକ ବିଷୟ ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିଖୋର ମନୋଭାବ ପାଇଁ ମନରେଗା ଯୋଜନାର କାର୍ଯ୍ୟକୁ ମଣିଷ ବଦଳରେ ମେସିନ କାମ କରୁଛି । ଯାହାଫଳରେ ରାଜ୍ୟରେ ଅଣସଂଗଠିତ ଶ୍ରମିକମାନେ କାମ ପାଇବାରୁ ବଂଚିତ ହେଲେ ଓ ଶେଷରେ ନିରୁପାୟ ହୋଇ ଘରକୁ ଫେରିଥିବା ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଘଟିଯିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । କରୋନା ସମୟରେ ଶ୍ରମିକମାନଙ୍କର ସାମାଜିକ ଓ ଆର୍ôଥକ ସୁରକ୍ଷା ପ୍ରସଙ୍ଗରେ ବଡ଼ ବଡ଼ କଥା ଓ ବହୁ ପ୍ରଚାର କରୁଥିବା ରାଜ୍ୟ ସରକାର ରାଜ୍ୟରେ କୃଷି, ଶିଳ୍ପ, ପ୍ରଯ୍ୟଟନ ଓ ଅନ୍ୟାନ୍ୟ କର୍ମନିଯୁକ୍ତି ସୃଷ୍ଟି କଲେ ନାହିଁ । ଯଦ୍ଦ୍ୱାରା ସେମାନଙ୍କୁ ରାଜ୍ୟରେ କାମ ମିଳୁନାହିଁ । ଅନ୍ୟ ରାଜ୍ୟରେ କାମ ମିଳୁଥିବାବେଳେ ଓଡ଼ିଶାର ଲୋକ ନିଜ ରାଜ୍ୟରେ କାମ ପାଉନାହିଁ କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ୨୨ବର୍ଷ ଶାସନରେ ଲୋକଙ୍କୁ କର୍ମ ନିଯୁକ୍ତି ଦେବାରେ ଓ ଭିତିଭୂମିର ବିକାଶ କରିବାରେ ସମ୍ପୂର୍ଣ୍ଣ ବିଫଳ ଓ ଓଡିଆଙ୍କୁ ଗରିବ ରଖି ଭୋଟ ହାତେଇ କ୍ଷମତାରେ ରହିବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ପ୍ରଦେଶର ସାମାଜିକ ସଂଗଠନ ସଂଯୋଜକ ଶ୍ରୀ ରଶ୍ମିରଞ୍ଜନ କାନୁନଗୋ ଉପସ୍ଥିତ ଥିଲେ ।