କେପ୍ଟାଉନ: ଭାରତ ସମେତ ବିଶ୍ୱର ୧୦ଟି ରାଷ୍ଟ୍ରରେ ପ୍ରସବକାଳୀନ ଓ ଶିଶୁ ମୃତ୍ୟୁ ହାର ମିଳିତଭାବେ ୬୦ ପ୍ରତିଶତ ରହିଛି ବୋଲି ଜାତିସଂଘ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଏବଂ ୟୁଏନ୍ଏଫପିଏ ରିପୋର୍ଟକୁ ଆଧାର କରି ଏହି ସର୍ଭେ କରାଯାଇଛି । ଦକ୍ଷିଣ ଆଫ୍ରିକାର କେପ୍ଟାଉନରେ ଚାଲିଥିବା ‘ଇଣ୍ଟରନ୍ୟାସନାଲ ମ୍ୟାଟରନାଲ ନ୍ୟୁବର୍ଣ୍ଣ ହେଲଥ୍ କନ୍ଫରେନ୍ସ’ ସମ୍ମିଳନୀରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଛି । ତଦନୁଯାୟୀ ୨୦୨୦-୨୧ରେ ଭାରତ ସମେତ ୧୦ଟି ରାଷ୍ଟ୍ରରେ ପ୍ରସବକାଳୀନ ଓ ଶିଶୁ (ନବଜାତକ) ମୃତ୍ୟୁ ସଂଖ୍ୟା ୪.୫ ନିୟୁତ ରହିଥିଲା ।
ତନ୍ମଧ୍ୟରୁ ପ୍ରସବକାଳୀନ ମୃତ୍ୟୁ ସଂଖ୍ୟା ୦.୨୯ ନିୟୁତ ରହିଥିବାବେଳେ ମାତୃଗର୍ଭରେ ଥିବା ସନ୍ତାନଙ୍କ ମୃତ୍ୟୁସଂଖ୍ୟା ୧.୯ ନିୟୁତ ଏବଂ ନବଜାତକଙ୍କ ମୃତ୍ୟୁ ସଂଖ୍ୟା ୨.୩ ନିୟୁତ ରହିଥିଲା । ଆଫ୍ରିକାର ସାହାରା ଅଞ୍ଚଳ ଏବଂ ସେଣ୍ଟ୍ରାଲ/ସଦର୍ଣ୍ଣ ଏସିଆରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ରିପୋର୍ଟରେ କୁହାଯାଇଛି । ବିଶ୍ୱରେ ପ୍ରସୂତୀ ଓ ନବଜାତକଙ୍କ ମୃତ୍ୟୁହାର କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କରୋନା ସମୟରେ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇପଡିଥିଲା ।