24.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶବିଶ୍ୱରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସଂଖ୍ୟା ୨୭୨ ନିୟୁତ : ରିପୋର୍ଟ

ବିଶ୍ୱରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସଂଖ୍ୟା ୨୭୨ ନିୟୁତ : ରିପୋର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସଂଖ୍ୟା ୨୭୨ ନିୟୁତ, ଯାହା ପୂର୍ବ ଆକଳନ ତୁଳନାରେ ୨୧ ନିୟୁତ ଅଧିକ। ୟୁନେସ୍କୋର ଗ୍ଲୋବାଲ ଏଜୁକେଶନ ମନିଟରିଂ ଟିମ୍‌ (ଜିଇଏମ୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କ ମଧ୍ୟରୁ ୭୮ ନିୟୁତ ପ୍ରାଥମିକ ସ୍କୁଲ୍‌ ବୟସର ହୋଇଥିବାବେଳେ ୬୪ ନିୟୁତ ନିମ୍ନ ମାଧ୍ୟମିକ ଏବଂ ୧୩୦ ନିୟୁତ ଉଚ୍ଚ ମାଧ୍ୟମିକ ସ୍କୁଲ ଯିବା ବୟସର। ୨୦୧୫ରେ ଚତୁର୍ଥ ଥର ପାଇଁ ଶିକ୍ଷା ଉପରେ ସତତ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଧାର୍ଯ୍ୟ କରାଯାଇଥିଲା। ସେବେଠାରୁ ସ୍କୁଲ ବାହାରେ ରହିଥିବା ପିଲାଙ୍କ ସଂଖ୍ୟାରେ ୧ ପ୍ରତିଶତରୁ କମ୍‌ ହ୍ରାସ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ସର୍ବାଧିକ ୧୩୦ ନିୟୁତ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି, ଯାହାକି ସବୁ ସ୍ତରର ମୋଟ ସଂଖ୍ୟାର ୪୮%। ଶିକ୍ଷା କ୍ଷେତ୍ରରେ ଗରିବ ଦେଶଗୁଡ଼ିକ ବହୁ ପଛରେ ପଡ଼ିଛନ୍ତି। ସବୁଠୁ ଗରିବ ଦେଶରେ ୩୬% ପିଲା ସ୍କୁଲ ଶିକ୍ଷାରୁ ବଞ୍ଚତ୍ତ ହୋଇଥିବାବେଳେ ସବୁଠୁ ଧନୀ ଦେଶରେ ଏହି ହାର ୩ ପ୍ରତିଶତ। ସାରା ବିଶ୍ୱରେ ସ୍କୁଲ୍‌ ବାହାରେ ଥିବା ମୋଟ ପିଲାଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ କେନ୍ଦ୍ରୀୟ ଓ ଦକ୍ଷିଣ ଏସୀୟ ଦେଶ (୩୪%) ଏବଂ ଆଫ୍ରିକୀୟ ଦେଶର (୩୯%)। ସାରା ବିଶ୍ୱରୁ ଦେଖିଲେ ଝିଅଙ୍କ ତୁଳନାରେ ଅଧିକ ପୁଅ ସ୍କୁଲ୍‌ ବାହାରେ ରହିଛନ୍ତି। ଅର୍ଥାତ ୧୩୯ ନିୟୁତ ପୁଅ ଏବଂ ୧୩୩ ନିୟୁତ ଝିଅ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ଧାରା ୨୦୦୭ରୁ ଆରମ୍ଭ ହୋଇଥିବାବେଳେ ବଢ଼ିଚାଲିଛି।

ଜିଇଏମ୍‌ ଟିମ୍‌ର ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଦେଶଗୁଡ଼ିକ ସେମାନଙ୍କ ଜାତୀୟ ଲକ୍ଷ୍ୟ ହାସଲ କରିବାକୁ ହେଲେ ୭୫ ନିୟୁତଙ୍କୁ ଏହି ଧାରାରୁ ବାହାରକୁ ଆଣିବାକୁ ହେବ। ନୂଆ ନାମଲେଖା ଏବଂ ଉପସ୍ଥାନ ତଥ୍ୟ ଅନୁଯାୟୀ, ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କ ସଂଖ୍ୟା ୮ ନିୟୁତ ବଢ଼ିଥିବାବେଳେ ଜାତିସଂଘର ସଂଶୋଧିତ ଜନସଂଖ୍ୟା ରିପୋର୍ଟ ଯୋଗୁ ୧୩ ନିୟୁତ ବଢ଼ିଯାଇଛି। ୨୦୨୧ରେ ଆଫଗାନିସ୍ତାନ ମାଧ୍ୟମିକ ସ୍କୁଲ ବୟସର ଝିଅମାନଙ୍କ ପାଠପଢ଼ାକୁ ବେଆଇନ ଘୋଷଣା କରିବା ପରେ ସ୍କୁଲ୍‌ ଶିକ୍ଷାରୁ ବାଦ୍‌ ପଡ଼ିଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ବ୍ୟତୀତ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ତଥ୍ୟ ସଂଗ୍ରହ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ, ସର୍ଭେ ଏବଂ ଜନଗଣନା ଆଦି ଏକାଧିକ ତଥ୍ୟ ଉତ୍ସକୁ ମଡେଲ ଭାବେ ନିଆଯାଇ ଆଞ୍ଚଳିକ ଏବଂ ବୈଶ୍ୱିକ ହାରାହାରି ସ୍କୁଲ୍‌ ଶିକ୍ଷାରୁ ବଞ୍ଚତ୍ତ ପିଲାମାନଙ୍କ ସଂଖ୍ୟା ଆକଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking