ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ଆଜିର ଜୋନାଲ କନ୍ଫରେନ୍ସରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଓ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଶଙ୍କର ଏବଂ ଏଲିଟ୍ କିସମର ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଏବଂ କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ ସଂସ୍ଥା ତରଫରୁ ୩୫ରୁ ୪୦ କିସମର ଆମ୍ବ ଏଥିରେ ସ୍ଥାନ ପାଇଥିଲା । ସେଥି ମଧ୍ୟରୁ ମୟୂରଭଞ୍ଜରୁ ଆସିଥିବା ସିମିଲଟନ୍ ସୁନ୍ଦରୀର ନାଲିରଙ୍ଗ ବେଶ୍ ଆକର୍ଷିତ କରିଥିଲା । ଏତଦ୍ବ୍ୟତୀତ କିଲୋ ପ୍ରତି ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହେଉଥିବା ମିଆଜାକି ଆମ୍ବ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଥି ସହିତ କେଉଁଝରର ବଳଦେବ କିସମ, ବଲାଙ୍ଗିରର ଜାହାଙ୍ଗିର ଓ ଢେଙ୍କାନାଳର ବେଲଗଜା ଏବଂ ଅନେକ ଶଙ୍କର ଓ ଉନ୍ନତ କିସମର ଆମ୍ବ ଯଥା-ଆର୍କା ନିଳାଚଳ, କେଶରୀ, ଆର୍କା ପୁନିତ, ଆର୍କା ସୁପ୍ରଭାତ, ଆର୍କା ଉଦୟ, ଅମ୍ବିକା ଇତ୍ୟାଦି କୃଷି ଉଦ୍ୟୋଗୀଙ୍କ ତରଫରୁ ପ୍ରଦର୍ଶିତ କରାଯାଇଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଏବଂ ପୂର୍ବାଞ୍ଚଳ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀ ଏହି ଷ୍ଟଲକୁ ପ୍ରଦର୍ଶନ କରିଥିଲେ ଓ ଓଡ଼ିଶାର ବିଭିନ୍ନ ଆମ୍ବ କିସମ ଦେଖି ଭୂୟସୀ ପ୍ରଶଂସା କରିଥିଲେ । ଏଥିରୁ ଅନୁମାନ କରିହେଉଛି ଅନୁକୂଳ ଜଳବାୟୁ, ଚାଷୀଙ୍କ ପ୍ରୟାସ ଓ କୃଷି ଉତ୍ପାଦକ ସଂଗଠନ ଯୋଗୁଁ ରାଜ୍ୟରେ ଆମ୍ବ ଉତ୍ପାଦନ ଦିନକୁ ଦିନ ବଢ଼ି ଚାଲିଛି । ଗୁଣାତ୍ମକ ମାନର ଆମ୍ବ ଏଫ୍ପିଓମାନଙ୍କ ଦ୍ୱାରା ଏକତ୍ରିକରଣ କରି ବାହାର ରାଜ୍ୟ ଓ ଦେଶକୁ ରପ୍ତାନୀ କରି ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ନିକଟରେ ଢେଙ୍କାନାଳର ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ରପ୍ତାନି ହୋଇଛି।










