ଶ୍ରୀନଗର: ଜମ୍ମୁର ବନ୍ତଲାବରେ ଶୁକ୍ରବାର ଭୁଶୁଡ଼ି ପଡ଼ିଥିବା ଏକ ନିର୍ମାଣାଧୀନ ପୋଲର ଭଗ୍ନାବଶେଷ ତଳେ ଫସି ରହିଥିବା ତିନି ଜଣ ଶ୍ରମିକଙ୍କ ମୃତଦେହ ଶନିବାର ପ୍ରତ୍ୟୁଷରେ ଉଦ୍ଧାର କରାଯାଇଛି। ମୃତ ଶ୍ରମିକଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ଣରେ ଜମ୍ମୁ ଉପକଣ୍ଠରେ ଥିବା ଥାଥର ପେଟ୍ରୋଲ ପମ୍ପ ନିକଟରେ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ପାଞ୍ଚ ଜଣ ଶ୍ରମିକ ଫସି ଯାଇଥିଲେ। ଦୁଇଜଣ ଶ୍ରମିକଙ୍କୁ ଜରୁରୀକାଳୀନ ଦଳ ଶୁକ୍ରବାର ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ୧୨ ଘଣ୍ଟା ଧରି ଖୋଜାଖୋଜି କରାଯିବା ପରେ ଶନିବାର ତିନି ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ଏନ୍ଡିଆରଏଫ୍, ଏସ୍ଡିଆର୍ଏଫ୍, ପୁଲିସ ଓ ସେନା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶ୍ରମିକମାନେ ଗତବର୍ଷ ବନ୍ୟାରେ କ୍ଷତିଗ୍ରସ୍ତ ସେତୁ ନିକଟରେ ଥିବା ଏକ ରିଟେନମେଣ୍ଟ କାନ୍ଥର ମରାମତି କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।










