ବାରଙ୍ଗ: କିଛି ଦିନର ନିରବତା ପରେ ପୁଣି ସକ୍ରିୟ ଜଙ୍ଗଲୀ ହାତୀ । ସୁରକ୍ଷା ପାଚେରୀ ଭାଙ୍ଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ପୁଣି ପଶିଛନ୍ତି ଦୁଇଟି ବଣୁଆ ହାତୀ । ଏହି ଦୁଇ ହାତୀ ବୁଧବାର ରାତିରେ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି । ଗୋଟିଏ ହାତୀ ତୃଣଭୋଜୀ ସଫାରୀ ଓ ଅନ୍ୟଟି ଶାଗୁଣା ପ୍ରଜନନ କେନ୍ଦ୍ର ନିକଟରେ ରହିଥିବା ଦେଖିବାକୁ ମିଳିଛି । ଖବର ଲେଖାସୁଦ୍ଧା ବଣୁଆ ହାତୀ ଦ୍ୱୟ ଏପର୍ଯ୍ୟନ୍ତ ନନ୍ଦନକାନନର ପରିସର ମଧ୍ୟରେ ରହିଥିବା ଜଣାଯାଇଛି । ଯାହା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ।
ଏହି ବଣୁଆ ହାତୀ ପାଇଁ ନନ୍ଦନକାନନର ପଶୁପକ୍ଷୀଙ୍କର ବିଭିନ୍ନ ଖୁଆଡ଼ ନଷ୍ଟ ହେବାର ଆଶଙ୍କା ରହିଛି । ତେବେ କର୍ତ୍ତୃପକ୍ଷ କିଛି କର୍ମଚାରୀ ନିୟୋଜିତ କରି ପର୍ଯ୍ୟଟକଙ୍କ ସମେତ ନନ୍ଦନକାନନରେ ଯେପରି କିଛି କ୍ଷୟକ୍ଷତି ନହୁଏ ସେଥିପ୍ରତି ଦୃଷ୍ଟି ରଖିଛନ୍ତି । ସୂଚନା ଯୋଗ୍ୟ ବିଭିନ୍ନ ସମୟରେ ଜଙ୍ଗଲୀ ହାତୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଚେରି ଭାଙ୍ଗି ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥାଏ । ଏମାନେ ବିଶେଷ କିଛି କ୍ଷତି କରୁନଥିଲେ ମଧ୍ୟ ବିଭିନ୍ନ ଖୁଆଡ଼ମାନ ଭଙ୍ଗା ରୁଜା କରିଥାନ୍ତି ।