ଆଠଗଡ : ଏକ ଦୁଷ୍କର୍ମ ମାମଲାର ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁକ୍ରବାର ପ୍ରକାଶିତ ରାୟରେ ଏଡିଜେ ଶ୍ରୀ ଦାସ ଉଭୟ ଦୁଷ୍କର୍ମ ଅଭିଯୁକ୍ତ ପ୍ରଧାନ ସଏ ଓ ଚୈତନ୍ୟ ବିରୁଆଙ୍କୁ ୧୦ ବର୍ଷ ଲେଖାଁଏ କାରାଦଣ୍ଡ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ଗତ ୨୦୨୪ ମସିହା ଏପ୍ରିଲ ୧୩ ତାରିଖରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପାର୍ବତୀପୁରର ଜନୈକ ବିବାହିତା ମହିଳା ଖୁଣ୍ଟଣୀ ହାଟକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ପ୍ରଧାନ ସଏ ଓ ଚଗୁ ଓରଫ ଚୈତନ୍ୟ ବିରୁଆ ସଂପୃକ୍ତ ମହିଳାଙ୍କୁ ତାଙ୍କ ଗାଁରେ ଛାଡିଦେବାକୁ କହି ବାଇକରେ ବସାଇ ଆଣିଥିଲେ।
ତେବେ ଆସିବା ବେଳେ ରାଣୀବଣିଆ ଜଙ୍ଗଲରେ ଦୁଇ ଅଭିଯୁକ୍ତ ସଂପୃକ୍ତ ପୀଡିତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ପାଟିତୁଣ୍ଡ ଶୁଣି ଲୋକ ପଳାଇ ଆସିବାରୁ ଅଭିଯୁକ୍ତ ମହିଳାଙ୍କୁ ଛାଡି ଫେରାଇ ହୋଇଯାଇଥିଲେ। ଏ ସମ୍ପର୍କରେ ପୀଡିତା ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପୁଲିସର ଅଭିଯୋଗ ଫର୍ଦ୍ଦ ଏବଂ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଏଡିଜେ ଶ୍ରୀ ଦାସ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଉଭୟ ଦୋଷୀଙ୍କୁ ୧୦ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଲେଖାଁଏ ଜୋରିମାନା ଏବଂ ଜୋରିମନା ଅନାଦେୟେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଦେବାଶିଷ ସିଟ୍ ପରିଚାଳନା କରୁଥିଲେ।










