ଶ୍ରୀନଗର: ଉତ୍ତର କାଶ୍ମୀର କୁପୱାଡା ଜିଲ୍ଲାରେ ଅଘଟଣ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛିିି । ଆଜି ଅପରାହ୍ଣ ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରିତିକର ସ୍ଥିତି ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବଳ ମୂତୟନ କରାଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମସଜିଦରେ ଲୋକମାନେ ପ୍ରାର୍ଥନା (ନମାଜ ପାଠ) କରୁଥିବା ବେଳେ ସୁରକ୍ଷା ବଳ ପ୍ରବେଶ କରିବା ସହ ସେମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ ।
ଭିଡିଓ ଉତ୍ତୋଳନ ପଛରେ କଣ କାରଣ ସୁରକ୍ଷାକର୍ମୀମାନେ ଅବଗତ ନକରିବାରୁ ସେଠାରେ ଉପସ୍ଥିତ ଜଣେ ବୟସ୍କ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ପରେ କିଛି ସ୍ଥାନୀୟ ଯୁବକ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ । ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବା ଫଳରେ ସୁରକ୍ଷା ବଳ ବିରୋଧକାରୀଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏଥିରେ ୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ବ୍ୟବସାୟୀମାନେ ଘଟଣାର ପ୍ରତିବାଦ ସ୍ୱରୂପ ଦୋକାନ ବଜାର ବନ୍ଦ କରିଦେଇଛନ୍ତି । କୌଣସି ଅପ୍ରିତିକର ସ୍ଥିତି ଉପୁଯିବା ଆଶଙ୍କାରେ ସୁରକ୍ଷା ବଳର ନିୟୋଜନକୁ ମଧ୍ୟ ବୃଦ୍ଧି କରାଯାଇଛି ।