ନୂଆଦିଲ୍ଲୀ: ଭାରତୀୟ ସିନିୟର୍ ମହିଳା ଫୁଟ୍ବଲ୍ ଟିମ୍ ୩୫ ର୍ୟାଙ୍କ୍ ନିମ୍ନରେ ଥିବା କୋସୋଭୋ ଠାରୁ ୧-୦ ଗୋଲ୍ରେ ହାରି ମଙ୍ଗଳବାର ତୁର୍କୀ ମହିଳା କପ୍ ଟୁର୍ଣ୍ଣାମେଣ୍ଟ୍ରେ ରନର୍ସଅପ୍ ହୋଇଛି । ଫଳରେ ସାଫ୍ ଅଞ୍ଚଳ ବାହାରେ ଟିମ୍ର ପ୍ରଥମ ଟାଇଟଲ୍ ଆଶା କୋସୋଭା ଚୂର୍ମାର କରିଦେଇଛି । ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଗୋଲ୍ଶୂନ୍ୟ ଥିବାବେଳେ ଇରେଲେଟା ମେମେଟି (୯୦+୨ ମିନିଟ୍) ଇଞ୍ଜୁରୀ ଟାଇମ୍ରେ ଗୋଲ୍ ଦେଇ କୋସୋଭୋଙ୍କୁ ବିଜୟୀ କରାଇଥିଲେ ।
ଏହା ସହିତ କୋସୋଭାକୁ ଦ୍ୱିତୀୟ ଥର ଟାଇଟଲ୍ ବିଜୟୀ କରାଇଛନ୍ତି । ଫିଫା ର୍ୟାଙ୍କିଙ୍ଗ୍ ୧୦୦ ତମ ସ୍ଥାନରେ ଥିବା କୋସୋଭା ଟୁର୍ଣ୍ଣାମେଣ୍ଟ୍ରେ ତିନିଟି ମ୍ୟାଚ୍ରୁ ୯ ପଏଣ୍ଟ ହାସଲ କରିଥିବା ବେଳେ ଭାରତ ୬ ପଏଣ୍ଟ ସହ ଅଭିଯାନ ଶେଷ କରିଛି । ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ଥିବାବେଳେ କୋସୋଭୋକୁ ଗୋଟିଏ ଡ୍ର’ର ଆବଶ୍ୟକତା ଥିଲା । ଟୁର୍ଣ୍ଣାମେଣ୍ଟ୍ର ତିନିଟି ସଂସ୍କରଣରେ ଭାଗ ନେଇଥିବା ଭାରତୀୟ ଟିମ୍ର ଏହା ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଭାରତର ମନୀଷା କଲ୍ୟାଣ ଟୁର୍ଣ୍ଣାମେଣ୍ଟ୍ର ଶ୍ରେଷ୍ଠ ମିଡ୍ଫିଲ୍ଡର ଭାବେ ବିବେଚିତ ହୋଇଛନ୍ତି ।