ନୂଆଦିଲ୍ଲୀ: ସୋମବାର ଦିନ ବେଜିଂ ନିଶ୍ଚିତ କରିଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୩ ରୁ ୧୫ ଯାଏଁ ତିନି ଦିନିଆ ଚୀନ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପଶ୍ଚିମ ଏସିଆ ସଙ୍କଟ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି । ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ବୈଠକ ସମୟରେ ଟ୍ରମ୍ପ ଇରାନ ଏବଂ ରୁଷକୁ ସହାୟତା ବନ୍ଦ କରିବା ପାଇଁ ଚୀନ ଉପରେ ଚାପ ପକାଇବେ । ଆମେରିକା ଅଭିଯୋଗ କରିଛି ଯେ, ଚୀନ ଏପରି ସାମଗ୍ରୀ ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇ ଦେଉଛି । ଯାହା ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି । ଅଧିକାରୀମାନେ କହିଛନ୍ତି ଟ୍ରମ୍ପ ପୂର୍ବରୁ ସି ଜିନପିଙ୍ଗଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ହେବାକୁ ଥିବା ବୈଠକରେ ମଧ୍ୟ ଏହା ପ୍ରମୁଖ ବିଷୟ ହେବ । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମେ ‘୬ ତାରିଖରେ ବେଜିଂରେ ପହଞ୍ଚିଥିଲେ । ସେ ସେଠାରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍ଗୁ ଭେଟିଥିଲେ । ସେବେଠାରୁ, ଶାନ୍ତି ଚୁକ୍ତିରେ ଚୀନର ଭୂମିକା ଗ୍ରହଣ ନେଇ କଳ୍ପନାଜଳ୍ପନା ଚାଲିଛି । ଅରାଘଚିଙ୍କ ସହ ତାଙ୍କ ସାକ୍ଷାତରେ , ବୈଦେଶିକ ମନ୍ତ୍ରୀ ୱାଙ୍ଗ ଶାନ୍ତି ଆଲୋଚନାକୁ ସହଜ କରିବା ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।










