ପଞ୍ଜାବ: ବୁଧବାର ଭୋର ସମୟରେ ପଞ୍ଜାବର ଫିରୋଜପୁର-ଫାଜିଲକା ଜାତୀୟ ରାଜପଥରେ ଏକ ପିକଅପ୍ ଭ୍ୟାନ୍ ଓ ଟ୍ରେଲର (ଟ୍ରକ୍) ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଲାଲାବାଦ ଅଞ୍ଚଳର ଏକ ପରିବାର ଓ ସେମାନଙ୍କର ନିକଟ ସମ୍ପର୍କୀୟମାନେ ଜଣେ ବୃଦ୍ଧାଙ୍କର ଶେଷକୃତ୍ୟ ସମ୍ପର୍କିତ ରୀତିନୀତି ସାରି ଏକ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିଲେ। ଗାଡ଼ିରେ ପ୍ରାୟ ୨୮ ଜଣ ଯାତ୍ରୀ ଥିଲେ। ଫେରିବା ବାଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୪ ଜଣ (୩ ଜଣ ପୁରୁଷ ଓ ଜଣେ ମହିଳା)ଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୫ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।
ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଫରିଦକୋଟର ଏକ ସ୍ପେଶାଲାଇଜ୍ଡ ମେଡିକାଲ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ତେବେ ସ୍ଥାନୀୟ ବାସିନ୍ଦା ଏହି ଦୁର୍ଘଟଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଫିରୋଜପୁର-ଫାଜିଲକା ଜାତୀୟ ରାଜପଥର ଏହି ନିର୍ଦ୍ଦିଷ୍ଟ ଅଂଶଟି ଏକ ”ଆକ୍ସିଡେଣ୍ଟ ବ୍ଲାକସ୍ପଟ୍” (ଦୁର୍ଘଟଣା ପ୍ରବଣ ସ୍ଥାନ) ପାଲଟିଛି, ଯେଉଁଠି ପ୍ରତିବର୍ଷ ଅନେକ ଲୋକ ଜୀବନ ହରାଉଛନ୍ତି। ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି, ତେଣୁ ଏହାକୁ ତୁରନ୍ତ ପ୍ରଶସ୍ତ କରିବାକୁ ଦାବି ହେଉଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।










