ନୂଆଦିଲ୍ଲୀ: ନର୍ମଦା ନଦୀରେ ତ୍ରିରଙ୍ଗା ଯାତ୍ରା, ୧୫୧ ଡଙ୍ଗା ଓ ୧୦୦ରୁ ଅଧିକ ସନ୍ତରଣକାରୀଙ୍କ ଦେଶପ୍ରେମର ଅନନ୍ୟ ପ୍ରଦର୍ଶନ । ସ୍ୱାଧୀନତା ଦିବସ ପୂର୍ବରୁ ମଧ୍ୟପ୍ରଦେଶର ନର୍ମଦା ନଦୀରେ ଦେଖିବାକୁ ମିଳିଛି ଦେଶପ୍ରେମର ଅନନ୍ୟ ଦୃଶ୍ୟ। ଜବଲପୁର ଓ ଓମକାରେଶ୍ୱରରେ ଆୟୋଜିତ ହୋଇଛି ଭବ୍ୟ ତ୍ରିରଙ୍ଗା ଯାତ୍ରା । ଓମକାରେଶ୍ୱରରେ ବ୍ରହ୍ମପୁରୀ ଘାଟରୁ ନଗର ଘାଟ ପର୍ଯ୍ୟନ୍ତ ୧୫୧ଟି ସଜ୍ଜିତ ଡଙ୍ଗାକୁ ନେଇ ତ୍ରିରଙ୍ଗା ଡଙ୍ଗା ଯାତ୍ରା ଆୟୋଜନ କରାଯାଇଛି । ଡଙ୍ଗାଗୁଡ଼ିକରେ ତ୍ରିରଙ୍ଗା ପତାକା ଲଗାଯାଇଥିବା ବେଳେ ନଦୀରେ ସୃଷ୍ଟି ହୋଇଥିଲା ଦେଶପ୍ରେମର ମନୋରମ ପରିବେଶ ।ସେହିପରି ଜବଲପୁରର ଝିଲହରି ଘାଟରୁ ତିଲୱାରା ଘାଟ ପର୍ଯ୍ୟନ୍ତ ‘ଅଖଣ୍ଡ ଭାରତ ସଂକଳ୍ପ’ ତ୍ରିରଙ୍ଗା ସନ୍ତରଣ ଦୌଡ଼ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବୟସର ଶହେରୁ ଅଧିକ ସନ୍ତରଣକାରୀ ହାତରେ ତ୍ରିରଙ୍ଗା ଧରି ନର୍ମଦା ନଦୀରେ ସନ୍ତରଣ କରିଥିଲେ । ହର ଘର ତିରଙ୍ଗା ଅଭିଯାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, ନାଗରିକଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାକୁ ଆହୁରି ମଜଭୁତ କରିବା ।










