ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ ପକ୍ଷରୁ ରାଜ୍ୟରେ ୧୭୪୧ ନୂଆ ୪ଜି ଟାୱାର ସ୍ଥାପନ କରାଯାଇଛି । ଏଥି ସହିତ ୨୪୮୭ ଦୁର୍ଗମ ଓ ଅପହଞ୍ଚ ଗ୍ରାମରେ ୪ଜି ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ସିଜିଏମଡିକେ ବେହେରା କହିଛନ୍ତି । ରାଜ୍ୟରେ କମ୍ପାନୀର ୫୮୦୦ ଟାୱାର ଓ ୧୬ ହଜାର ବେସ ଷ୍ଟେସନ ରହିଛି । ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୦୦୦ ନୂଆ ଟାୱାର ସ୍ଥାପନ କରିବାକୁ ଯୋଜନା ରଖିଛି । ନୂଆ ଟାୱାରଗୁଡିକୁ ମୁଖ୍ୟତଃ କୋରପୁଟ, କଳହାଣ୍ଡି , ରାୟଗଡା ଓ କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । କମ୍ପାନୀ ଏକ ଟଙ୍କିଆ ଫ୍ରିଡମ ଅଫର ଘୋଷଣା କରିଛି ଯେଉଁଥିରେ ଗ୍ରାହକମାନେ ୧ ଟଙ୍କାରେ ନୂଆ ସଂଯୋଗ ପାଇପାରିବେ । ୨୪ ଦିନର ବୈଧତା ସହିତ କେ ଅଫରରେ ଦୈନିକ ୧ ଜିବି ଡାଟା , ୧୦୦ ଏସଏମଏସ , ଅସୀମୀତ ଭଏସ କଲ ମିଳିପାରିବ । ସେହିପରି ବିଏସଏନଏଲ ଫାଇବର ଫ୍ରିଡମ ପ୍ଲାନ ଘୋଷଣା କରାଯାଇଛି । ଯେଉଁଥିପାଇଁ ମାସିକ ୧୧୧୧ ଟଙ୍କା ଦେବାକୁ ପଡିବ । ଏଥିରେ ଗ୍ରାହକମାନେ ୨୦୦ ଏମବିପିଏସ ସ୍ପିଡର ଇଣ୍ଟରନେଟ , ମାସକୁ ୫୦୦ ଜିବି ଡାଟା ଓ ୨୫ରୁ ଅଧିକ ପ୍ରିମିୟମ ଓଟିଟି ସେବା ପାଇପାରିବେ। ଏହି ଅଫର ଆସନ୍ତା ସପ୍ଟେମ୍ବର ଯାଏଁ ବୈଧ ରହିଛି । ବିଏସଏନଏଲ ତରଫରୁ ବିଏସଏନଏଲ ସେଲଫ କେୟାର ଆପରେ ବିଏସଏନଏଲ ଏଣ୍ଟରଟେନମେଣ୍ଟ ଟିଭି ପାୱାରର୍ଡ ବାଏ ଟାଙ୍ଗୋ, ବିଏସଏନଏଲ ସାଟେଲାଇଟ ଫୋନ ସେବା ବିଷୟରେ ମଧ୍ୟ ଘୋଷଣା କରାଯାଇଛି । ଏହି ଅବସରରେ କମ୍ପାନିର ମହାପ୍ରବନ୍ଧକ ଗୁରୁଦାସ ମେହେର ,ଆଇଏଫଏ ହେମବୟ ହେମ୍ବ୍ରମ ଓ ଭାରତନେଟର ପିଜିଏମ ଆଇଜି ସୋରେନ ଉପସ୍ଥିତି ଥିଲେ ।










