ନୂଆଦିଲ୍ଲୀ : ଗୁରୁବାର ଦକ୍ଷିଣ-ପୂର୍ବ ଇଂଲଣ୍ଡର ଲୁଇସ୍ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ଓ ଅନ୍ୟ ନଅ ଜଣ ଆହତ ହୋଇଛନ୍ତି । ବ୍ରିଟିଶ ପରିବହନ ପୁଲିସର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୪୪ ମିନିଟରେ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା । ପୁଲିସ କହିଛି ଯେ, ପ୍ରଥମେ ଅନେକ ଯାତ୍ରୀ ଫସି ରହିଥିଲେ କିନ୍ତୁ ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ସସେକ୍ସ ପୁଲିସ ଓ ସ୍ଥାନୀୟ ଅଗ୍ନିଶମ, ଉଦ୍ଧାରକାରୀ ଓ ଆମ୍ବୁଲାନ୍ସ ଦଳ ସମେତ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ପରିବହନ ମନ୍ତ୍ରୀ ହାଇଡି ଆଲେକଜାଣ୍ଡାର ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ, ସରକାର ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଛନ୍ତି ।










