ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନ ହେବ । ଏହାର ଦିନକ ପୂର୍ବରୁ ଦେଶର କୃଷକ ସଂଗଠନଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ଆସନ୍ତା ମାସ ଅଗଷ୍ଟ ୧୫ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରାଯିବ ବୋଲି ଘୋଷଣା କରିଛି । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ଦାବିରେ ଏପ୍ରକାର ଏକ ରାଲି ଆୟୋଜନ କରାଯିବ ବୋଲି ମୋର୍ଚ୍ଚା ଦର୍ଶାଇଛି । ଦିଲ୍ଲୀର ସମ୍ବିଧାନ କ୍ଲବରେ ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା (ଅଣ-ରାଜନୈତିକ) ଏବଂ କିଷାନ୍ ମଜଦୁର ମୋର୍ଚ୍ଚା ପକ୍ଷରୁ ଟ୍ରାକ୍ଟର ରାଲି ଘୋଷଣା ସହ ଅଗଷ୍ଟ ୧ ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ କୃଷକ ସଂଗଠନ ଦ୍ୱାରା ଆୟୋଜିତ ସମଗ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି ।
କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅଗଷ୍ଟ ୧ ତାରିଖରେ ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବେ । ପ୍ରତ୍ୟେକ ଜିଲ୍ଲାର ମୁଖ୍ୟାଳୟରେ ଏହି ପ୍ରଦର୍ଶନ କରାଯିବ । ସେହିପରି ୧୫ ଅଗଷ୍ଟରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରାଯିବ । ୩୧ ଅଗଷ୍ଟରେ କୃଷକ ଆନ୍ଦୋଳନକୁ ୨୦୦ ଦିନ ପୂରଣ ହେବାକୁ ଯାଉଥିବା ବେଳେ ଏହି ଅବସରରେ ସମସ୍ତ କୃଷକ ଏକାଠି ହେବେ । ହରିଆଣା ସୀମାରେ ବିରୋଧ କରୁଥିବା କୃଷକଙ୍କ ସମର୍ଥନରେ ସେଠାରେ ପହଞ୍ଚିବା ପାଇଁ ସମସ୍ତ ରାଜ୍ୟର କୃଷକମାନଙ୍କୁ ଅପିଲ୍ କରାଯାଇଛି । ପ୍ରକାଶ, ସେପ୍ଟେମ୍ବରରେ ହରିଆଣାରେ ୨ଟି ବଡ ସମାବେଶ କରିବାକୁ କୃଷକ ସଂଗଠନ ଯୋଜନା କରିଛନ୍ତି । ପ୍ରଥମଟି ୧୫ ସେପ୍ଟେମ୍ବରରେ ଜିନ୍ଦ୍ ପ୍ରାନ୍ତରେ ଏବଂ ଦ୍ୱିତୀୟଟି ୨୨ ସେପ୍ଟେମ୍ବରରେ ପିପଲି ଠାରେ ଆୟୋଜିତ ହେବ । ସେହିପରି ଦେଶରେ ଲାଗୁ ହୋଇଥିବା ନୂତନ ଅପରାଧିକ ଆଇନ୍କୁ ମଧ୍ୟ କୃଷକ ସଂଗଠନ ବିରୋଧ କରୁଥିବାରୁ ଏହାର ଏକ କପିକୁ ପ୍ରତୀକାତ୍ମକ ଭାବେ ପୋଡାଯିବ ବୋଲି ଆଜି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୨୧, ୨୬ ଜାନୁଆରୀରେ ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ହୋଇଥିଲା । ଦୀର୍ଘ ଦିନ ଧରି ରାଜଧାନୀ ଦିଲ୍ଲୀରେ କୃଷକମାନେ ଦୃଢ଼ ଭାବେ ଠିଆ ହୋଇଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସଂସଦରେ ଗୃହୀତ ହୋଇଥିବା ୩ କୃଷି ଆଇନ୍କୁ ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରିଥିଲେ । ସେତେବେଳେ ଏମ୍ଏସ୍ପି ଆଇନ୍ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ପ୍ରକାଶ, ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ଅବସରରେ କଂଗ୍ରେସ କହିଛି ଯେ ସ୍ୱାମୀନାଥନ୍ ଆୟୋଗର ସୁପାରିଶ ଅନୁଯାୟୀ ଏହି ବଜେଟରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ଘୋଷଣା କରିବାର ଆବଶ୍ୟକତା ରହିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ କୃଷକ ଋଣ ଛାଡ଼ର ଆବଶ୍ୟକତାକୁ ଅନୁଧ୍ୟାନ କରିବା ପାଇଁ ସରକାର ଏକ ସ୍ଥାୟୀ କମିଶନ ଗଠନ କରିବାକୁ କହିଛନ୍ତି ।