ନୂଆଦିଲ୍ଲୀ: ଲୁଧିଆନାର ଚିମା ଚୌକ ନିକଟସ୍ଥ ଇଣ୍ଡଷ୍ଟ୍ରିଆଲ୍ ଏ ବ୍ଲକ୍ରେ ଥିବା ଏକ ମେସିନ୍ ଟୁଲ୍ସ ଫ୍ୟାକ୍ଟ୍ରିରେ ବର୍ଜ୍ୟବସ୍ତୁ ନିଷ୍କାସନ ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଲୁଧିଆନା ଡିସିପି ହରପାଲ ସିଂହଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ରବିବାର -ସୋମବାର ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଘଟିଥିଲା। ଏହି ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୁଲିସର ସୂଚନା ଅନୁଯାୟୀ, ପରେ ପାଞ୍ଚ ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଚିକିତ୍ସା ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନେ ଡାକ୍ତରୀ ନିରୀକ୍ଷଣରେ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମାନ ସିଂହ ଓ ତାଙ୍କ ପୁଅ ଅମିତ ଅଛନ୍ତି। ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ମାନ ସିଂହଙ୍କ ଝିଅ ରେଣୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ସେହି ରାତିରେ କାମକୁ ଯିବାକୁ ଅନିଚ୍ଛା ପ୍ରକାଶ କରିବା ସତ୍ତ୍ୱେ ତାଙ୍କୁ ଡ୍ୟୁଟିରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିଲା।
ରେଣୁ କହିଛନ୍ତି ଯେ, ପ୍ରଭାବିତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ମଧ୍ୟ ପରିବାରକୁ ଘଟଣା ବିଷୟରେ ଅବଗତ କରାଯାଇ ନଥିଲା। ଫ୍ୟାକ୍ଟ୍ରି ମାଲିକ ନିଜେ ଶ୍ରମିକମାନଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପରିବାର ତାଙ୍କ ବାପା ଓ ଭାଇଙ୍କୁ ଫ୍ୟାକ୍ଟ୍ରିରେ ଖୋଜିବା ପରେ ସେମାନେ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଲେ। ରେଣୁ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କ ବାପା ଓ ଭାଇ ଉଭୟଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଥିଲା। ପୁଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।










