ଅନୁଗୋଳ : ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ମରଣ୍ଡା ଗ୍ରାମର ଅଇଁଠୁ ପଲେଇ (୫୦)। ସୂଚନା ଯେ, ଆଜି ସକାଳ ୫ ଘଟିକା ବେଳେ ଅଇଁଠୁ ଶୌଚ ହେବାକୁ ଘର ପଛ ପାଖ ପଡ଼ିଆକୁ ଯାଇଥିଲେ। ସେହି ସମୟରେ ହାତୀ ହାବୁଡରେ ପଡ଼ି ଯିବାରୁ ହାତୀ ଅଇଁଠୁଙ୍କୁ ଟେକି କଚାଡି ଦେଇ ଥିଲା। ଅଇଁଠୁଙ୍କ ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ପହଞ୍ଚି ହାତୀକୁ ଘୋଉଡାଇ ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ବନ ବିଭାଗ ଗାଡି ଯୋଗେ ଗୁରୁତର ଅବସ୍ଥାରେ ଅଇଁଠୁଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଅଇଁଠୁଙ୍କର ଅଣ୍ଟା, କାନ୍ଧ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।










