ମୟୂରଭଞ୍ଜ: ବ୍ୟସ୍ତବହୁଳ ମୁଖ୍ୟରାସ୍ତାରେ ଦନ୍ତାହାତୀର ରାଜୁତି। ଅଅଚାନକ ସକାଳୁ ସକାଳୁ ଗୋଠଛଡ଼ା ଦନ୍ତାହାତୀକୁ ରାସ୍ତାରେ ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଖେଳି ଯାଇଥିଲା ଆତଙ୍କ। ଏଭଳି ଏକ ଅପ୍ରତ୍ୟାଶିତ ଘଟଣା ଆଜି ସକାଳୁ ବାରିପଦା ସହର ଉପକଣ୍ଠ ପୋଡ଼ାଅସ୍ତିଆ , ଉଦଳା-ବାରିପଦା ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।
ହେଲେ କୌଣସି କ୍ଷୟକ୍ଷତି କରିନଥିଲେ ମଧ୍ୟ ପରେ ହାତୀକୁ ବାରୁଣୀଘାଟ ରାସ୍ତାରେ ବୁଢ଼ାବଳଙ୍ଗ ନଦୀ ପାରକରି ଘଉଡ଼ାଇ ମଞ୍ଚାବନ୍ଧା ଜଙ୍ଗଲରେ ବନବିଭାଗ ପକ୍ଷରୁ ଛାଡି ଦେଇଥିବାର ସୂଚନା। ତେବେ ଦନ୍ତାହାତୀ ଆସି ସହର ଉପକଣ୍ଠ ମୁଖ୍ୟରାସ୍ତାରେ ବୁଲୁଥିବା ବେଳେ ବନବିଭାଗ ନିକଟରେ କୌଣସି ଖବର ନ ଥିବା ସମସ୍ତଙ୍କୁ ଆଚମ୍ବିତ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋଠଛଡ଼ା ହାତୀ ହେଉକି ହାତୀପଲ ପ୍ରାୟତଃ ବ୍ୟାପକ ଧନଜୀବନ ନଷ୍ଟ କରୁଥିବା ଏକ ନିତିଦିନିଆ ଘଟଣା ପାଲଟିଛି।
ହେଲେ ହାତୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଥିବା କହୁଥିଲା ବେଳେ ହାତୀ ଗାଁ ହେଉକି ସହର ଭିତରକୁ ପଶି ଆସିଲେ ମଧ୍ୟ ଜାଣିପାରୁନି ବିଭାଗ। କିନ୍ତୁ ବନବିଭାଗ ତତ୍ତ୍ୱାବଧାନରେ କାମ କରୁଛନ୍ତି ଗଜସାଥୀ। ଆଉ ଏମାନଙ୍କୁ ଅଧିକାଂଶ ସମୟରେ ସ୍ଥାନୀୟ ଅଧିକାରୀ ଚୋରା କାଠ ମାଫିଆଙ୍କ ପଛରେ ଲଗାଉ ଥିବା ଭଳି ଅଭିଯୋଗ ଶୁଣିବାକୁ ମିଳେ। ବଧୂଏ ଏଇଥିପାଇଁ ହାତୀ ଗତିବିଧିର ସଠିକ ଖବର ବନବିଭାଗ ନିକଟରେ ପହଞ୍ଚି ପାରୁନଥିବା ଆଲୋଚନା ହେଉଛି।