ଭୁବନେଶ୍ଵର : ଆଜି ପବିତ୍ର ଗଣେଶ ପୂଜା । ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ବିଶେଷକରି ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ଚତୁର୍ଥୀ ମହାଆଡ଼ମ୍ବରରେ ପାଳନ କରାଯାଏ।ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀଗଣେଶ ବିଦ୍ୟା ଓ ବୁଦ୍ଧି ଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ। କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡ଼େ ଅଗ୍ରପୂଜ୍ୟ ବକ୍ରତୁଣ୍ଡଙ୍କୁ,କାରଣ ପୁରାଣ ମତ ଦିଏ ସେ ଅଗ୍ରପୂଜ୍ୟ ଏବଂ ଗଣମାନଙ୍କର ସେନାପତି ଓ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କରିବାଦ୍ବାରା ସେ କାର୍ଯ୍ୟ ବିନା ବାଧାବିଘ୍ନରେ ସୁଚାରୁରୂପେ ସମ୍ପାଦନ ହୋଇଥାଏ। ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହ ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏପରିକି ସାହି ଗଳିରେ ବ୍ୟାପକ ଆୟୋଜନ କରାଯାଇଛି। କେଉଁଠି ସକାଳୁ ସକାଳୁ ପୂଜା ଆରମ୍ଭ ହୋଇଗଲାଣି ତ ଆଉ କେଉଁଠି ପୂଜା ଲାଗି ପ୍ରସ୍ତୁତି ଚାଲିଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୂ ଗଜାନନ। ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା। ରାଜଧାନୀ ଭୁବନେଶ୍ଵର, କଟକ ଏବଂ ରାଉରକେଲାରେ ମଧ୍ୟ ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି।