ଭୁବନେଶ୍ଵର : ସେପ୍ଟେମ୍ବର ୧୫ ତାରିଖ ଭାରତବର୍ଷର ପ୍ରତ୍ୟେକ ଇଞ୍ଜିନିୟରଙ୍କ ପାଇଁ ଗୌରବ ଓ ପ୍ରେରଣାର ଦିବସ । ଶତାବ୍ଦୀ ପୁରୁଷ ଭାରତ ରତ୍ନ ଇଞ୍ଜିନିୟର ସାର ମୋକ୍ଷେଗୁଣ୍ଡମ ବିଶେଶ୍ୱରାୟ ୧୮୬୧ମସିହା ସେପ୍ଟେମ୍ବର ୧୫ ତାରିଖରେ ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ସ୍ମୃତିରେ ଏହି ଦିନକୁ ଇଞ୍ଜିନିୟର ଦିବସ ଭାବରେ ପାଳନ କରାଯାଏ । ଚାକିରୀର ପ୍ରାରମ୍ଭରେ ପୁନା ଓ ଧୁଳିଆ ସହରରେ ଜଳ ଯୋଗାଣ ଓ ଜଳ ସେଚନ କାର୍ଯ୍ୟ ଆରମ୍ଭ କରିଥିଲେ । ଦେଶକୁ ଜଳ ଯୋଗାଣ ପାଇଁ ସେ ଅନେକ ପାଇପ ଲାଇନ ପକାଇବା ସହ ବ୍ୟାରେଜ ନିର୍ମାଣ କରିବା ଆଦି କାମ କରିଛନ୍ତି । ମେଧାବୀ ବିଶେଶ୍ୱରାୟ ମାଧ୍ୟମିକ ଶିକ୍ଷା ଶେଷକରି ୧୮୭୬ରେ ବାଙ୍ଗାଲୋର ସେଣ୍ଟ୍ରାଲ କଲେଜରେ ଅଧ୍ୟୟନ କଲେ । ସେଠାରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ପୁନେସ୍ଥିତ କଲେଜ ଅଫ୍ ସାଇନ୍ସରେ ଇଞ୍ଜିନିୟରିଂ ଶିକ୍ଷାଲାଭ କଲେ ଓ ୧୮୮୩ ମସିହାରେ ବମ୍ବେ ବିଶ୍ବବିଦ୍ୟାଳୟରୁ ପ୍ରଥମସ୍ଥାନ ଅଧିକାର କରି ଯାନ୍ତ୍ରିକ ସ୍ନାତକ ହେଲେ ବିଶେଶ୍ୱରାୟ । ୧୮୮୪ ମସିହାରେ ସେ ବମ୍ବେର ପୂର୍ତ୍ତ ବିଭାଗରେ ସହକାରୀ ଇଞ୍ଜିନିୟର ଭାବେ ଯୋଗଦାନ କଲେ ଓ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ବହୁଶୀଘ୍ର ଉଚ୍ଚପଦବୀକୁ ଉନ୍ନୀତ ହୋଇଥିଲେ । ଏହି ସମୟରେ ସେ ସିନ୍ଧୁନଦୀରେ ସୁକୁର ବ୍ୟାରେଜ ନିର୍ମାଣ କରି ସୁକୁର ସହରକୁ ସ୍ଥାନୀୟ ଜଳଯୋଗାଣ ବ୍ୟବସ୍ଥା କରିଥିଲେ । ସେ ମଧ୍ୟ ପୁନେରେ ବ୍ୟାପକ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିଥିଲେ । ସେ ସ୍ବତନ୍ତ୍ର ସ୍ବୟଂଚାଳିତ ଗେଟ୍ ନିର୍ମାଣ କରିଥିଲେ, ଯାହା ବିଶ୍ବେଶ୍ବରାୟା ଗେଟ୍ ନାମରେ ସୁବିଦିତ । ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ହୀରାକୁଦ ବନ୍ଧଯୋଜନା ପାଇଁ ସେ ପ୍ରଥମେ ପରାମର୍ଶ ଦେଇଥିଲେ। ୧୯୩୭ ମସିହାରେ ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ସେ ମଧ୍ୟ ‘ସାର୍’ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କର ଜୀବନବ୍ୟାପୀ ସାଧନା ଓ ସିଦ୍ଧିର ସ୍ବୀକୃତି ରୂପେ ୧୯୫୫ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ରେ ମଣ୍ଡିତ ହୋଇଥିଲେ । ୧୯୬୨ ମସିହା ଏପ୍ରିଲ ୧୪ ତାରିଖରେ ସେ ଆମ୍ଭମାନଙ୍କ ଗହଣରୁ ଚିରବିଦାୟ ନେଇଛନ୍ତି । ଏହି ମହାନ୍ ଦେଶନିର୍ମାତା ଇଞ୍ଜିନିୟରଙ୍କୁ ସ୍ମରଣ କରିବା ପାଇଁ ଭାରତୀୟ ଇଞ୍ଜିନିୟରମାନେ ୧୯୬୮ ମସିହାରୁ ତାଙ୍କ ଜନ୍ମଦିନକୁ ଇଞ୍ଜିନିୟର ଦିବସ ରୂପେ ପାଳନ କରିଆସୁଛନ୍ତି । ଆଜିର ଇଞ୍ଜିନିୟରଙ୍କ ପାଇଁ ତାଙ୍କ ଜୀବନ ଓ କର୍ମ କୁଶଳତା ଏକ ଆହ୍ୱାନ।