ବ୍ୟୁରୋ : ଚଳଚିତ୍ର ଜଗତରେ ଆସିଛି ଏକ ନୂଆ ଖବର ।ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବହୁ ଚର୍ଚ୍ଚିତ ନାଗର୍ଜୁନଙ୍କ ପୁଅ ନାଗା ଚୈତନ୍ୟ।ତେଲୁଗୁ ଚଳଚିତ୍ରରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନାଗା ଚୈତନ୍ୟ ତେବେ ତାଙ୍କ ପ୍ରଥମ ବିବାହ ଲୋକ ପ୍ରିୟ ଅଭିନେତ୍ରୀ ସାମନ୍ଥାଙ୍କ ସହ ହୋଇଥିଲା । କୌଣସି କାରଣରୁ ତାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ସାମନ୍ଥା ଓ ନାଗା ୨୦୧୭ ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଉଭୟଙ୍କ ପ୍ରଶଂସକ ବହୁ ଖୁସି ହୋଇଥିଲେ । ସେମାନେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟତମ ଆକର୍ଷଣୀୟ ଦମ୍ପତି ଭାବରେ ପରିଗଣିତ ହୋଇଥିଲେ ଏବଂ ଅନେକ ସିନେମାରେ ସ୍କ୍ରିନ୍ ସ୍ପେସ୍ ଅଂଶୀଦାର ମଧ୍ୟ କରିଥିଲେ ।ଯାହା ମଧ୍ୟରୁ ଅଟୋନଗର ସୂର୍ଯ୍ୟ,ମନମ,ମଜିଲି ଇତ୍ୟାଦି ଅନେକ ଚଳଚିତ୍ରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ କୌଣସି କାରଣରୁ ଚାରି ବର୍ଷ ଏକାଠି ରହିବା ପରେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଦକ୍ଷିଣ ଭାରତୀୟ ଏହି ଲୋକପ୍ରିୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ ।ଏହି ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଉଭୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଛାଡ଼ପତ୍ର ପରେ ନାଗା ଦ୍ବିତୀୟ ବିବାହ କରିବାକୁ ଯାଉଥିବା ଖବର ଏବେ ଚର୍ଚ୍ଚା ହେଉଛି। ନାଗାଙ୍କ ଛାଡ଼ପତ୍ର ପରେ ସେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଦୁହିଁଙ୍କ ପକ୍ଷରୁ ଏଭଳି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ଆସିନଥିଲା । ତେବେ ବର୍ତ୍ତମାନ ଖବର ଆସୁଛି ଯେ, ନାଗା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ନାଗାର୍ଜୁନ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ କରାଇବାକୁ ଯୋଜନା କରୁଛନ୍ତି। ହେଲେ ନାଗା କାହାକୁ ବିବାହ କରିବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। କୁହାଯାଉଛି ଯେ, ନାଗାଙ୍କ ଭାବି ପତ୍ନୀ କୌଣସି ଅଭିନେତ୍ରୀ ନୁହନ୍ତି ବରଂ ଜଣେ ବ୍ୟବସାୟୀଙ୍କ ଝିଅ। ଅଭିନୟ ଜଗତ ସହ ତାଙ୍କର ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନାହିଁ। ଅଭିନେତ୍ରୀଙ୍କୁ ବିବାହ ପରେ ନାଗା ଚୈତନ୍ୟ କେଉଁ କାରଣ ପାଇଁ ଅଭିନୟ ଜଗତରୁ ଜୀବନ ସାଥି ଚୟନ କରିବାକୁ ଚାଁହୁନାହାନ୍ତି ସେ ବିଷୟରେ ସେ ସ୍ପଷ୍ଟ କରିନାହାନ୍ତି ।ଏଭଳି ଚର୍ଚ୍ଚା ହେଉଥିଲା ବେଳେ ନାଗାର୍ଜୁନ ଓ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।