ଅହମ୍ମଦାବାଦ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଗୁପ୍ତ ତଥ୍ୟ ଯୋଗାଣ ଅପରାଧରେ ଗୁଜରାଟର ଏକ ଅଦାଲତ ସୋମବାର ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଏମାନଙ୍କୁ ଫାଶୀଦଣ୍ଡ ଦେବାକୁ ସରକାରୀ ଓକିଲ ଯେଉଁ ଦାବି କରିଥିଲେ, ତାହାକୁ ବିଚାରପତି ଅଗ୍ରାହ୍ୟ କରିଦେଇଛନ୍ତି ।
ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଲୋକେ ସ୍ୱେଚ୍ଛାକୃତଭାବେ ଭାରତ ଛାଡି ପାକିସ୍ତାନ ଚାଲିଯିବା ଉଚିତ ବୋଲି ମଧ୍ୟ ବିଚାରପତି ମତବ୍ୟକ୍ତ କରିଛନ୍ତି । ଏହି ମାମଲାରେ ଜାମନଗରରେ ବାସ କରୁଥିବା ଜଣେ ଆଇଏସଆଇ ଏଜେଣ୍ଟ ଗିରଫ ହୋଇଥିଲେ ସୁଦ୍ଧା ପ୍ରମାଣ ଅଭାବରୁ ଗତ ଫେବୃଆରୀରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିସାରିଛନ୍ତି ।