ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ କ୍ରମାଗତ ଭାବେ ମୃତଦେହ ଚୋରି ହେବାରେ ଲାଗିଛି । ଗତ ଶୁକ୍ରବାର ରାତ୍ରରେ ଏକକାଳୀନ ୩ ମୃତଦେହ ଚୋରି ହୋଇଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶନିବାର ସକାଳେ ଗ୍ରାମର କେତେକ ଯୁବକ ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ‘ସ୍ୱର୍ଗଦ୍ୱାର’ ଶ୍ମଶାନର କେତେକ ସ୍ଥାନରେ ଖୋଳାଯାଇଥିବା ଦେଖିଥିଲେ । ସଦ୍ୟ ପୋତା ଯାଇ ସଂସ୍କାର ହୋଇଥିବା ୩ଟି ଗାତରୁ ମୃତଦେହ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗତ ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେହେରା, ଗତ ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ମୃତଦେହ ନଥିବା ଜଣାପଡ଼ିଥିଲା । ଖୋଳାଯାଇଥିବା ୩ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଡିଥିଲା ।
ମାତ୍ର ୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଅକ୍ଷୟ ଓ ଅନନ୍ତଙ୍କ ପଚାମାଂସ ପଡିଥିଲା । ଏଥିନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଏ କାହିଁକି ଶବକୁ ରାତ୍ରରେ ଚୋରି କରୁଛି ତାହାକୁ ନେଇ ପ୍ରଶ୍ନ ଗ୍ରାମବାସୀଙ୍କ ମନରେ ସୃଷ୍ଟି ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି । ଅନ୍ୟପଟେ ଗ୍ରାମ ଶ୍ମଶାନରୁ ଶବ ଚୋରି ହେବା ନୂଆ ନୁହେଁ । ଏଥିପୂର୍ବରୁ ୨୦୧୬ ଓ ୨୦୧୭ ମସିହାରେ ମଧ୍ୟ ଶ୍ମଶାନରୁ ଶବ ଚୋରି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ବିଶେଷ କରି ୨୦୧୭ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବସନ୍ତ ଦାସ ଓ ରାଜ୍ୟପାଳ ପୁରସ୍କୃତ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ଶବକୁ ମଧ୍ୟ ଖୋଳି ନିଆଯାଇଥିବା ଜଣାପଡ଼ିଥିଲା । ୨୦୧୬ ଓ ୨୦୧୭ ବର୍ଷରେ ସଂସ୍କାର ପରେ ପୋତାଯାଇଥିବା ପ୍ରାୟ ଚାରିଟି ଶବ ଖୋଳି ନିଆଯାଇଥିବା ଗ୍ରାମବାସୀ ଚିହ୍ନଟ କରିଥିଲେ ।