ଛାତ୍ର ସଂସଦ ନିର୍ବାଚନରେ ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ
କ୍ୟାମ୍ପସ୍ରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସରକାରଙ୍କୁ ବିଜେଡିର ଆହ୍ୱାନ
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀଙ୍କ ସଂଘର୍ଷମୟ ବିଜୟକୁ ପ୍ରଶଂସା କରିଛି ଦଳ । ନିର୍ବାଚନ ସମୟରେ କେତେକ ଶିକ୍ଷାନୁଷ୍ଠାନରେ ବିସିଜେଡି ପ୍ରାର୍ଥୀଙ୍କୁ ଦିଆଯାଇଥିବା ଧମକ, ହଇରାଣ ଓ ରାଜନୈତିକ ହସ୍ତକ୍ଷେପ ସତ୍ତ୍ୱେ ନିଷ୍ଠାର ସହ କାର୍ଯ୍ୟ କରିଥିବା ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା, ପ୍ରାର୍ଥୀ, କର୍ମୀ ଓ ସମର୍ଥକମାନଙ୍କୁ ଦଳ ଅଭିନନ୍ଦନ ଜଣାଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ନିର୍ବାଚନରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଶ୍ରୀ ବିଶ୍ୱଜିତ ସାହୁ ଓ ଉପସଭାପତି ପ୍ରାର୍ଥୀ ରାଜା ବିଶ୍ୱାଳଙ୍କ ବିଜୟ ପାଇଁ ବିଜେଡି ତାଙ୍କୁ ଅଭିନନ୍ଦନ ଜଣାଇଛି । ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ବିସିଜେଡି କର୍ମୀ ଏବଂ ସମର୍ଥକଙ୍କ ସାମୂହିକ ସଂକଳ୍ପର ଏକ ଉତ୍ସାହଜନକ ପ୍ରତିଫଳନ । ନିର୍ବାଚନ ସମୟରେ କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ହଇରାଣ କରିବା, ରାଜନୈତିକ ହସ୍ତକ୍ଷେପ କରି ନାମାଙ୍କନ ପ୍ରତ୍ୟାହାର ପାଇଁ ବାଧ୍ୟ କରାଯିବାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି ବିଜେଡି । ପ୍ରତ୍ୟେକ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି କୌଣସି ଭୟ, ଭେଦଭାବ କିମ୍ୱା ବାହ୍ୟ ଚାପ ବିନା ନିର୍ବାଚନରେ ପ୍ରାର୍ଥୀ ହେବା ଓ ନିଜର ମତଦାନ ଅଧିକାର ପ୍ରୟୋଗ କରିବାର ସମାନ ସୁଯୋଗ ପାଇବେ, ତାହା ସୁନିଶ୍ଚିତ କରିବା ଉପରେ ବିଜେଡି ଗୁରୁତ୍ୱାରୋପ କରିଛି । ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ଉତ୍ସାହଜନକ ସଫଳତା ପ୍ରଦର୍ଶନ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ବିସିଜେଡି ପ୍ରାର୍ଥୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।
ଇପ୍ସୀତା ସାହୁ ଆହୁରି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଆଭିମୁଖ୍ୟ ଏବଂ କେତେକ ଶିକ୍ଷାନୁଷ୍ଠାନରେ ନିର୍ବାଚନ ପରିଚାଳନାକୁ ନେଇ ଉଠିଥିବା ପ୍ରଶ୍ନ କ୍ୟାମ୍ପସ୍ରେ ଗଣତନ୍ତ୍ରର ସୁରକ୍ଷା ସମ୍ପର୍କରେ ଗମ୍ଭୀର ସନେ୍ଦହ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା ଓ ରାଜ୍ୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ରାଜନୈତିକ ହସ୍ତକ୍ଷେପର କୌଣସି ସ୍ଥାନ ନାହିଁ । ଛାତ୍ରଛାତ୍ରୀମାନେ ଯେପରି କୌଣସି ଭୟ କିମ୍ୱା ଚାପ ବିନା କ୍ୟାମ୍ପସ୍ର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ । ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସ୍ୱରକୁ ସମ୍ମାନ ଦିଆଯାଉ ଏବଂ କ୍ୟାମ୍ପସ୍ରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ । ଛାତ୍ରଛାତ୍ରୀଙ୍କ ଏକତା, ଦୃଢ଼ ସଂକଳ୍ପ ଓ ଗଣତାନ୍ତ୍ରିକ ମନୋଭାବ ଓଡ଼ିଶାର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।










